Image

୫-ଟି ନାଁରେ ସ୍କୁଲ ରୂପାନ୍ତରଣ ନାଟକ

ଭୁବନେଶ୍ବର, ତା ୧୦୤୯:
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଉତ୍ତର ରଖି ପୂର୍ବ ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ୫-ଟି ଯୋଜନାକୁ ନେଇ କଟାକ୍ଷ କରିଛନ୍ତି । ଗତ ପ୍ରାୟ ତିନି ବର୍ଷରେ ୫-ଟି ନାଁରେ ଯେଉଁ ସ୍କୁଲ ରୂପାନ୍ତରଣ ନାଟକ ଚାଲିଲା ଆଉ ଗଣମାଧ୍ୟମରେ ଯେଉଁ ପ୍ରଚାର ପ୍ରସାର ଚାଲିଲା ତାକୁ ଆମେ ସମସ୍ତେ ଦେଖିଛୁ। କିନ୍ତୁ, ଏହି ସବୁ ସ୍କୁଲର ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳୁଛି। ଏ ବିଷୟରେ ଅନେକ ଅଭିଯୋଗ ଆସିଲାଣି, ସବୁ ହିସାବ କିତାବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ବିଗତ ସରକାର ମାତୃଭାଷାକୁ ତ ଉଚ୍ଚ କଲେ ନାହିଁ, ଶିକ୍ଷାକୁ ଅପବ୍ୟବହାର କରି, ଓଡିଆ ଅସ୍ମିତାକୁ ଜଳାଞ୍ଜଳି ଦେଇ କିଛି ନେତା ଓ ବ୍ୟକ୍ତି ନିଶ୍ଚିତ ଭାବେ କେଳେଙ୍କାରି କରି ଉଚ୍ଚା ହୋଇଯାଇଛନ୍ତି ବୋଲି ଭାବୁଛନ୍ତି । ଦେଖିବା କଥା କେତେ ଦିନ ଏ ଢଙ୍ଗରହିବ। କିନ୍ତୁ, ବିଜେପି ସରକାର ବିଦ୍ୟାଳୟ ରୁ ଆରମ୍ଭ କରି ଶାସନ ପର୍ଯ୍ୟନ୍ତ ସବୁଠାରେ ଓଡିଆ ଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟର ଶେଷ ଯୋଗ୍ୟ ହିତାଧିକାରୀ ଯେମିତି ଶୁଭଦ୍ରା ଯୋଜନାରେ ସେମାନେ ତାଙ୍କ ପ୍ରାପ୍ୟ ଯଥାଶୀଘ୍ର ପାଇ ପାରିବେ, ତାହାକୁ ସେ ବ୍ୟକ୍ତିଗତ ଭାବେ ତଦାରଖ କରିବେ । ରାଜ୍ୟର ମା’ ମାନଙ୍କୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଛନ୍ତି। ସେହିଭଳି ବିଗତ ପାଞ୍ଚ ବର୍ଷରେ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ନାଁରେ ଯେଉଁ ପ୍ରକାର ପ୍ରହସନ ଚାଲିଥିଲା, ସ୍ୱାସ୍ଥ୍ୟ ସେବା କେବଳ ଟିଭି ଏବଂ ସାମାଜିକ ଗଣମାଧ୍ୟମରେ ସୀମିତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କଟାକ୍ଷ କରି କହିଛନ୍ତି । ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ବେଳେ ଉଭୟ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ୟାଗ କରିଥିବା ବେଳେ ବିରୋଧୀ ଅସହିଷ୍ଣୁ ହୋଇଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଗତ କିଛି ବର୍ଷରେ ରାଜ୍ୟରେ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନରେ ଆହେତୁକ ଅବନତି ଘଟିଛି। ଅନେକ ସ୍ଥାନରେ ଦେଖା ଦେଉଛି ଯେ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ ଦ୍ଵିତୀୟ କିମ୍ବା ତୃତୀୟ ଶ୍ରେଣୀର ପାଠ, ମାନସାଙ୍କ କିମ୍ବା ସରଳ ଗଣିତ ସମାଧାନ କରିବାରେ ଅସମର୍ଥ ହେଉଛନ୍ତି । ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନକୁ ବୃଦ୍ଧି କରିବା ପାଇଁ ଏହି ବଜେଟରେ ଅନେକ ପ୍ରାବଧାନ କରାଯାଇଛି। ଏହି ଲକ୍ଷ୍ୟରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ, ଯାହା ଗ୍ରାମପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶର ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କିମ୍ବା ଉନ୍ନତି କରଣ ପାଇଁ ଉଦ୍ଦିଷ୍ଟ। ସେହିପରି “ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ” ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୩ ଶହ ୩୨ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ରହିଛି। ଏହାଛଡା, ବିଦେଶୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ “ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି” ଯୋଜନା ମାଧ୍ୟମରେ ପ୍ରତିବର୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଇଁ ୧ ହଜାର ୧ ଶହ ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖାଲି ପଡିଥିବା ପ୍ରାୟ ୨୦ ହଜାର ଶିକ୍ଷକ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ । ଏତତ୍ ବ୍ୟତୀତ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବାପାଇଁ ପଦକ୍ଷେପ ନିଆଯିବ ।
ବିରୋଧୀ ଦଳ ଗତ ତିନି ମାସ ଏବଂ ବିଶେଷ ଭାବେ ବଜେଟ ଆଗତ ପରେ ସମାଲୋଚନା କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସୋହେଲା ଠାରେ ଧାନ କ୍ରୟ ଉପରେ ଏକ ସହ (୧୦୦ ଟଙ୍କା) ବୋନସ ଦେବା ପାଇଁ କହି ଆସିଥିଲେ। କାର୍ଯ୍ୟକାଳ ସରିଗଲା, ଟଙ୍କାଟିଏ ମଧ୍ୟ ଦେଇପାରିଲେ ନାହିଁ। କିନ୍ତୁ ବିଜେପି ସରକାର ଆସିବା ଦିନ ହିଁ ପ୍ରଥମ କ୍ୟାବିନେଟରେ ଧାନ କ୍ରୟ ମୂଲ୍ୟ କ୍ଵିଣ୍ଟାଲ ପିଛା ୩୧ ଶହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଠିକ ସେହିପରି ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦିଆଯିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ରାଜ୍ୟ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ଭାରତର ରାଜଧାନୀ ହେବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ, ବୋଧହୁଏ ପୂର୍ବ ସରକାର ଏହି ଦିଗରେ ଚିନ୍ତା କରିବା ପାଇଁ ସମୀଚୀନ ଭାବି ନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହସ୍ପିଟାଲ, ବିଶେଷ ଭାବେ ଗ୍ରାମାଞ୍ଚଳରେ ଡାକ୍ତର ଅଭାବ, ସାମାନ୍ୟ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସୁବିଧା ନ ଥିବା, ଆବଶ୍ୟକୀୟ ଉପକରଣର ଅଭାବରେ ସ୍ବାସ୍ଥ୍ୟ ସେବା ଚାଲିଥିଲା । ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ନଗଦ ବିହୀନ (କ୍ୟାଶ-ଲେସ) ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଓଡିଶା ବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜୀକୃତ ଦେଶର ସମସ୍ତ ୨୭ ହଜାର ହସପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ । ଚଳିତ ବର୍ଷ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ କଲେଜ ଓ ହସ୍ପିଟାଲରେ ଅତ୍ୟାବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଅଭାବରୁ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନହୁଏ, ସେଥିପାଇଁ ମେଡିକାଲ କଲେଜ ଗୁଡିକ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଗତ ସରକାର ମହିଳାଙ୍କୁ କେବଳ ଏକ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଥିଲେ । ମହିଳା ସଶକ୍ତିକରଣ ନାଁରେ କେବଳ ସେମାନଙ୍କ ଆତ୍ମସମ୍ମାନ ସହିତ ଖେଳିଛନ୍ତି । ଯଦି ନୁହେଁ, ତା ହେଲେ ଉତ୍ତର ରଖନ୍ତୁ ଯେ, ଓଡିଶା ପରି ଏକ ଶାନ୍ତିପ୍ରିୟ ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ଏତେ ସଂଖ୍ୟକ ନିର୍ଯ୍ୟାତନା କାହିଁକି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମହିଳା ଉତ୍ପୀଡନ କ୍ଷେତ୍ରରେ ଦଣ୍ଡ ବିଧାନ ୧୦ ପ୍ରତିଶତରୁ ବି କମ। ଏହାର ଅର୍ଥ ହେଉଛି, ପୂର୍ବ ସରକାରଙ୍କ ପାଇଁ ମହିଳା ଅତ୍ୟାଚାର କେବଳ ଏକ ସ୍ଲୋଗାନ ଥିଲା। ଚଳିତ ବଜେଟରେ ମହିଳା ମାନଙ୍କ ପାଇଁ ୭୫ ହଜାର ୬୨୨ କୋଟି ୯୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେବ ଯାହା ଗତ ବର୍ଷ ତୁଳନାରେ ୧୧ ହଜାର କୋଟି ଟଙ୍କାରୁ ବି ଉର୍ଦ୍ଧ୍ଵ।
ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଚାଷୀ ମାନଙ୍କୁ ପ୍ରୋତ୍ସାହନ ମିଳିବ । ୨୦୨୯ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଘରୋଇ ପୁଞ୍ଜିନିବେଶ ଏବଂ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ଶିଳ୍ପପୁଞ୍ଜଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ପ୍ରଶପର ଓଡ଼ିଶା ଯୋଜନା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା “ଷ୍ଟାର୍ଟ ଅପ୍ ଇଣ୍ଡିଆ” ଏବଂ ଇନକ୍ୟୁବେସନ୍ ସେଣ୍ଟର ଗୁଡିକମାଧ୍ୟମରେ ପ୍ରତିବର୍ଷ ୧ହଜାର ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦିଆଯିବ ।
ସ୍ୱଳ୍ପ ଆୟ ବର୍ଗର ଶିଳ୍ପଶ୍ରମିକମାନଙ୍କୁ ଆବାସ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ କଳିଙ୍ଗ ନଗର, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱର, ଜଗତପୁର, କେନ୍ଦୁଝର ଓ ଦାମନଯୋଡ଼ି ଭଳି ଶିଳ୍ପାଞ୍ଚଳରେ ହଷ୍ଟେଲ ବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ନିର୍ମାଣ ନିମନ୍ତେ, “ଦୀନ ଦୟାଲ କର୍ମଚାରୀ ନିବାସ” ଯୋଜନା କାର୍ଯ୍ୟକାରୀ ହେବ ଯାହାଦ୍ୱାରା ଶ୍ରମିକମାନେ କମ ଖର୍ଚ୍ଚରେ ରହିବାର ସୁବିଧା ପାଇ ପାରିବେ। ଶିଳ୍ପ, ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଜରିଆରେ ଆଗାମୀ ୫ ବର୍ଷରେ ୩ ଲକ୍ଷ ୫୦ ହଜାର ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାବ୍ୟତୀତ, ଖାଲି ପଡ଼ିଥିବା ଦେଢ଼ ଲକ୍ଷ ମୂଳ ସରକାରୀ ପଦବୀକୁ ଆଗାମୀ ୫ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ୱଚ୍ଛତାର ସହିତ ପୂରଣ କରିବା ପାଇଁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ । ଏଥି ମଧ୍ୟରୁ ପ୍ରଥମ ୨ ବର୍ଷରେ ଅନ୍ୟୁନ ୬୫ ହଜାର ପଦବୀ ପୂରଣ କରାଯିବ ।
ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଏକ ନୂତନ ଷ୍ଟାଡିୟମ୍ ନିର୍ମାଣର ଯୋଜନା ରହିଛି । ଏହି ବାବଦକୁ ୯ ଶହ ୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବୈଦ୍ୟୁତିକ ଯାନ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ସାରା ରାଜ୍ୟରେ ପିପିପି ମାଧ୍ୟମରେ ଆବଶ୍ୟକୀୟ ବୈଦୁତିକ ଯାନ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଏହାବ୍ୟତୀତ ଚିଲିକା ହ୍ରଦରେ ସୌର ଚାଳିତ ବୋଟ୍ ଓ ଲଞ୍ଚ୍ ବ୍ୟବହାର ଆରମ୍ଭ କରାଯିବ ।

Releated Posts

ଡ୍ରାଇଭର ଆନ୍ଦୋଳନ ଜାରି, କିନ୍ତୁ କାଲିଠୁ ଗଡିବ ଘରୋଇ ବସ

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଗଲା ସୂଚନା। ପୁରୀରେ ବସିଥିବା ବସ୍ ମାଲିକ…

ByByutkalamirror.comJul 12, 2025

ରାହୁଲ ଗାନ୍ଧୀ ତାଙ୍କ କଳା ଚସମାରେ ଦେଖି ଏଭଳି ମନ୍ତବ୍ୟ ଦେଇଛନ୍ତି : ମନମୋହନ

କଂଗ୍ରେସ ରାଜ୍ୟରେ ବିଜେଡିର ବି-ଟିମ ହୋଇ କାମ କରୁଥିଲେ । ୧୯ ବର୍ଷ ଧରି ବିରୋଧୀ ଦଳ ଆସନରେ ରହିଲେ, ତାହାର ଫାଇଦା ନେଇପାରିଲେ…

ByByutkalamirror.comJul 11, 2025

ଓଡ଼ିଶାର ସମ୍ପତ୍ତିକୁ ପୂର୍ବରୁ ବିଜେଡି ଲୁଟୁଥିଲା ଏବେ ବିଜେପି ସରକାର ଲୁଟୁଛି : ରାହୁଲ ଗାନ୍ଧୀ

ସମ୍ବିଧାନ ବଞ୍ଚାଅ ସମାବେଶ : ଡବଲ ଇଞ୍ଜିନ ସରକାର ଉପରେ ରାହୁଲଙ୍କ ଆକ୍ରମଣ, ଅଦାନୀଙ୍କ ପାଇଁ ରୋକାଗଲା ରଥ! ଓଡ଼ିଶା ସରକାର କେବଳ ଗରିବଙ୍କୁ…

ByByutkalamirror.comJul 11, 2025

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ, କୁଳପତିଙ୍କ ନିକଟରେ ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୈଖିକ ବାତାବରଣ ପାଇଁ ବାଧା…

ByByutkalamirror.comJul 11, 2025

Leave a Reply

Your email address will not be published. Required fields are marked *