ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦୁଇ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କରିଛି ଏନଆଇଏ । ମୁମ୍ବାଇ ଏୟାରପୋର୍ଟରୁ ଶନିବାର ଏହି ଆତଙ୍କବାଦୀ ଅବଦୁଲ୍ଲା ଫୈଜ୍ ଶେଖ୍ ଓରଫ ଡାଏପରୱାଲା ଏବଂ ତଲହା ଖାନାଙ୍କୁ ଗିରଫ କରି ଛାନଭିନ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀ ଲିଙ୍କରେ ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଅଞ୍ଚଳରେ ଚଢାଉ ଜାରି ରହିଛି ।
ଏହି ଦୁଇ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ । ଭାରତ ଫେରିବା ପରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଠାବ କରାଯାଇଥିଲା । ଏହାପରେ ଏନଆଇଏ ଦୁଇ ଜଣଙ୍କୁ ଗିରଫ କରିଥିଲା । ୨୦୨୩ ପୁଣେ ଆଇଇଡି ମାମଲାର ଏମାନେ ମୁଖ୍ୟ ଅଭିଯୁକ୍ତ । ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । କେବଳ ଏତିକି ନୁହେଁ ଏହି ଦୁଇଜଣଙ୍କ ବିଷୟରେ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।