ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଲ୍ ପଦବୀ ପୂରଣ ହେବ । ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୋଲିସ୍ କନଷ୍ଟେବଲ୍ ସିଧାସଳଖ ନିଯୁକ୍ତ ହେବେ । ରାଜ୍ୟ ପୋଲିସ୍ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ପୋଲିସ୍ ଡିଜିଙ୍କୁ ଚିଠି ଲେଖାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗ ଅତିରିକ୍ତ ସଚିବ ତରୁଣ କୁମାର ପଣ୍ଡା ଡିଜି ଓ ଆଇଜି ଅଫ୍ ପୋଲିସଙ୍କୁ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶା ପୋଲିସରେ କନଷ୍ଟେବଲ୍ ପଦବୀରେ ୪୨୧୯ଟି ଖାଲି ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସରକାର ବିଚାର ବିମର୍ଶ ପରେ ରାଜ୍ୟ ପୋଲିସ୍ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଓଡ଼ିଶା ପୋଲିସ୍ରେ କନଷ୍ଟେବଲ୍ ପଦବୀରେ ୪୨୧୯ଟି ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ, ଯେଉଁଥିରେ ଆଇନଗତ ନିୟମାବଳୀକୁ ପାଳନ କରାଯିବ। ସଂରକ୍ଷଣ ନୀତିର ନିୟମ ଏବଂ ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ସେପ୍ଟେମ୍ବର ୨୨ ତାରିଖରେ ଜାରି କରାଯାଇଥିବା ଏସଓପି (ସ୍ଟାଣ୍ଡାର୍ଡ୍ ଅପରେସନ୍ ପ୍ରୋସିଜର୍)କୁ ଅନୁସରଣ କରିବା ପାଇଁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ମାସରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟଙ୍କ ସହିତ ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ, ଓଡ଼ିଶା ପୋଲିସ୍ ରାଜ୍ୟ ଚୟନ ବୋର୍ଡ, ଓଡ଼ିଶା ପୋଲିସ୍ ମିନିଷ୍ଟ୍ରିୟାଲ୍ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ, ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କୁ ଚିଠି ଲେଖାଯାଇ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପିର ଅନୁପାଳନ ପାଇଁ ଚିଠି ଲେଖାଯାଇଥିଲା । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଆଗାମୀ ଦିନଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧.୫ ଲକ୍ଷରୁ ଅଧିକ ଖାଲି ପଦବୀକୁ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ। କିଛି ନିଯୁକ୍ତି ଏଜେନ୍ସିମାନଙ୍କ ଦ୍ୱାରା ଏବଂ କିଛି ବିଭାଗଗୁଡ଼ିକ ନିଜ ନିୟନ୍ତ୍ରଣରେ ଏହି ପ୍ରକ୍ରିୟା ପରିଚାଳିତ ହେବ। ପୂର୍ବରୁ ବିଭିନ୍ନ ଏଜେନ୍ସିଗୁଡ଼ିକରେ ଭିନ୍ନ ନିଯୁକ୍ତି ପ୍ରଣାଳୀ ଅନୁସରଣ ଯୋଗୁଁ ଅନିୟମିତତା ଓ ଅଭିଯୋଗ ଆସୁଥିବାରୁ ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନକୁ ସରକାର ଗୁରୁତ୍ବ ଦେଉଛନ୍ତି । କୌଣସି ବ୍ୟତୀକ୍ରମ ସମ୍ଭାବନାକୁ ଏଡାଇ ସ୍ବଚ୍ଛତାର ସହ ସମସ୍ତ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଉଦ୍ଦେଶ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଏସଓପି ପ୍ରସ୍ତୁତ କରାଯାଇଛି, ଯାହା ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ୍ ଏବଂ ଅନିୟମିତତାମୁକ୍ତ କରିବ। ସମସ୍ତ ବିଭାଗ ଏହି ଏସଓପିକୁ କଡ଼ା ଭାବେ ପାଳନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏସଓପିରେ ଓଏମଆର ସିଟ୍ ଆଧାରିତ ପରୀକ୍ଷା ପାଇଁ ସମସ୍ତ ପ୍ରଣାଳୀକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ପ୍ରଶ୍ନପତ୍ର ତିଆରି ପରେ ସିଲ୍ କରି ନିରାପଦ ପ୍ରେସ୍କୁ ପଠାଇବା, ପ୍ରିଣ୍ଟିଂ ସମୟରେ ସରକାରୀ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କ ନିରୀକ୍ଷଣ (ପୋଲିସ୍ ପରୀକ୍ଷା ପାଇଁ ଆଇଜି ସ୍ତରର ଆଇପିଏସ୍ ଅଧିକାରୀ) କରିବାକୁ ନିର୍ଦ୍ଦେଶ ରହିଛି।
୪୨୧୯ କନଷ୍ଟେବଲ ପଦବୀ ପୂରଣ ହେବ
