ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୨୬ ବିଧାୟକ ପ୍ରାର୍ଥୀ କୋଟିପତି, ସନାତନ ମହାକୁଡ଼ ସବୁଠୁ ଧନୀ, ୧୦୦ ଜଣଙ୍କ ନାମରେ ଆପରାଧିକ ମାମଲା

Bhubaneswar,

ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ମୋଟ ୩୮୩ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬ଜଣ (୩୩%) ହେଉଛନ୍ତି କୋଟିପତି। ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ଼। ୩୮୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୮୬ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲାମାନ ରହିଛି । ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଭିତ୍ତିକରି ଆସୋସିଏନ୍‌ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ଓ ଓଡ଼ିଶା ଇଲେକ୍ସନ୍ ୱାଚ୍‌ ପକ୍ଷରୁ ୩୮୧ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଆର୍ଥିକ ସ୍ଥିତି, ଶିକ୍ଷା ଆଦି ଉପରେ ବିଶ୍ଳେଷଣ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ରିପୋର୍ଟ ଅନୁସାରେ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନରେ ୩୮୩ ବିଧାୟକ ପ୍ରାର୍ଥୀ ଅଛନ୍ତି। ବିଶ୍ଳେଷଣ କରାଯାଇଥିବା ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬ଜଣ (୩୩%) ହେଉଛନ୍ତି କୋଟିପତି। ତାଲିକାରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ଆସନରୁ ବିଜେଡି ଟିକଟରେ ଲଢୁଥିବା ସନାତନ ମହାକୁଡ଼। ତାଙ୍କ ସମ୍ପତ୍ତିର ପରିମାଣ ୨୨୭ କୋଟି ଟଙ୍କାରୁ ଅଧିକ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସେହି ଜିଲାର ଘସିପୁରା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସୌମରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତିର ପରିମାଣ ୧୨୨ କୋଟି ଟଙ୍କାରୁ ଅଧିକ। ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ର ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୧୨୦ କୋଟି ଟଙ୍କାରୁ ଅଧିକ। ସେହିପରି ସମୃଦ୍ଧ ଓଡ଼ିଶାର ବଡ଼ମ୍ବା ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକଙ୍କ ପାଖରେ ୧ ହଜାର ଟଙ୍କାରୁ ଅଧିକ, ବ୍ରହ୍ମଗିରି ସ୍ବାଧୀନ ପ୍ରାର୍ଥୀ ସୁକାନ୍ତ ଘଡ଼ାଇ ଏବଂ ସିପିଆଇ (ଏମ୍‌ଏଲ୍‌) ରେଡ୍‌ଷ୍ଟାରର ଭୁବନେଶ୍ବର ଉତ୍ତର ପ୍ରାର୍ଥୀ ଗୋପୀନାଥ ନାୟକଙ୍କ ପାଖରେ ୨ ହଜାର ଟଙ୍କାର ସମ୍ପତ୍ତି ଥିବା ଦର୍ଶାଯାଇଛି। ସୌମ୍ୟରଞ୍ଜନଙ୍କ ଋଣ ପରିମାଣ ସର୍ବାଧିକ ୧୦୬ କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ବିଜେଡିର ଢେଙ୍କାନାଳ ପ୍ରାର୍ଥୀ ସୁଧୀର କୁମାର ସାମଲ ଏବଂ ବିଜେଡିର ଭୁବନେଶ୍ବର ଉତ୍ତର ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କ ଯଥାକ୍ରମେ ୯ କୋଟି ଓ ୮ କୋଟିରୁ ଅଧିକ ଟଙ୍କାର ଋଣ ରହିଛି।

ସେହିପରି ୩୮୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୮୬ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲାମାନ ରହିଛି। ୪ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ରହିଥିବାବେଳେ ୨୬ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ମହିଳାମାନଙ୍କ ବିରୋଧରେ ହିଂସା ମାମଲା ରହିଛି ୨୮ଜଣଙ୍କ ବିରୋଧରେ। ବିଜେପିର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣଙ୍କ ବିରୋଧରେ ଗୁରୁତର ଅାପରାଧିକ ମାମଲା ଥିବାବେଳେ କଂଗ୍ରେସର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ଏବଂ ବିଜେଡିର ୪୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୋଧରେ ଜଘନ୍ୟ ଅାପରାଧିକ ମାମଲା ରହିଛି। ଅନ୍ୟପକ୍ଷରେ ୩୮୧ ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ଆଦୌ ପାଠ ପଢିନଥିବାବେଳେ ୨ ଜଣ ସାକ୍ଷର ବୋଲି ନିଜକୁ ଦର୍ଶାଇଛନ୍ତି। ୧୧ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୩୨ ଜଣ ୮ମ, ୪୯ଜଣ ୧୦ମ, ୬୩ଜଣ ଯୁକ୍ତଦୁଇ ଉତ୍ତୀର୍ଣ୍ଣ, ୮୬ଜଣ ସ୍ନାତକ, ୬୦ଜଣ ସ୍ନାତକ ବୃତ୍ତିଧାରୀ, ୫୮ଜଣ ସ୍ନାତକୋତ୍ତର, ୬ଜଣ ପିଏଚ୍‍ଡି ଡିଗ୍ରୀଧାରୀ ଏବଂ ୧୨ ଜଣ ଡିପ୍ଲୋମାଧାରୀ ରହିଛନ୍ତି। ସେହିଭଳି ଏହି ୪୨ଟି ଆସନରେ ଲଢୁଥିବା ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବାବେଳେ ୭୧ଜଣଙ୍କ ବୟସ ୩୧ରୁ ୪୦ ବର୍ଷ ମଧ୍ୟରେ ରହିଛି। ୧୨୯ଜଣ ପ୍ରାର୍ଥୀଙ୍କ ବୟସ ୪୧ରୁ ୬୦ବର୍ଷ ଭିତରେ ଥିବାବେଳେ ୯୭ଜଣଙ୍କ ବୟସ ୫୧ରୁ ୬୦ ମଧ୍ୟରେ ରହିଛି। ୪୭ଜଣଙ୍କ ବୟସ ୬୧ରୁ ୭୦ବର୍ଷ ମଧ୍ୟରେ ହୋଇଥିବାବେଳେ ୧୩ ଜଣଙ୍କ ବୟସ ୭୧ରୁ ୮୦ବର୍ଷ ମଧ୍ୟରେ ରହିଛି। ୮୧ରୁ ବର୍ଷରୁ ଅଧିକ ବୟସର ଜଣେ ମାତ୍ର ପ୍ରାର୍ଥୀ ଏହି ପର୍ଯ୍ୟାୟରେ ରହିଛନ୍ତି। ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୭ ପୁରୁଷ ଥିବାବେଳେ ୪୪ଜଣ ମହିଳା ଅଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଥିଲେ ଓଡ଼ିଶା ଇଲେକ୍ସନ ୱାଚ୍‌ ସଂଯୋଜକ ରଞ୍ଜନ କୁମାର ମହାନ୍ତି, କୋର୍‌ ଟିମ୍ ସଦସ୍ୟ ଡ. ସହଦେବ ସାହୁ, ଡ. ସେବା ମହାପାତ୍ର ଏବଂ କ୍ଷମାକର ସ୍ବାଇଁ।

Leave a Reply

Your email address will not be published. Required fields are marked *