ରାଜ୍ୟରେ ନାଗରିକକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ‘ଆମ ଶାସନ’ ନାମକ ଏକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିଛନ୍ତି । ଏହି ବୈପ୍ଲବିକ ପଦକ୍ଷେପ ସରକାରୀ ସେବାର ଗୁଣବତ୍ତା ବୃଦ୍ଧି, ସ୍ୱଚ୍ଛତା ଓ ଉତ୍ତରଦାୟିତାକୁ ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ‘ଆମ ଶାସନ’ ହେଉଛି ଓଡ଼ିଶା ସରକାରଙ୍କର ଏକ ଅଭିନବ ପଦକ୍ଷେପ, ଯାହା ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ମାର୍ଟ, ଆଧୁନିକ, ଦକ୍ଷ ଏବଂ ସ୍ୱଚ୍ଛ କରାଇବ । ଜନସାଧାରଣଙ୍କ ମତାମତକୁ ପ୍ରାଥମିକତା ଦେଇ ସେବାର ଗୁଣବତ୍ତା ଉନ୍ନତ କରିବା, ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଓ ସରକାରୀ କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ତଥା ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜନସେବା ପ୍ରଦାନ ଓ ଫିଡ଼ବ୍ୟାକ ସଂଗ୍ରହ କରିବା ବୋଲି କୁହାଯାଇଛି । ଆମ ଶାସନ ହେଉଛି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି-ଆଧାରିତ ଫିଡ଼ବ୍ୟାକ୍ ସିଷ୍ଟମ, ଯାହା ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଟେଲିଫୋନ ଜରିଆରେ ମତାମତ ଗ୍ରହଣ କରିବା ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ମୋବାଇଲ ଆପ୍ ମାଧ୍ୟମରେ ଫିଡ଼ବ୍ୟାକ୍ ସଂଗ୍ରହ କରିବେ । ।
ଏହା ଜରିଆରେ ନାଗରିକମାନେ ନିମ୍ନଲିଖିତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଓ ପରାମର୍ଶ ପ୍ରଦାନ କରିପାରିବେ:
ୱେବସାଇଟ୍ ଚାଟବଟ୍: https://amashasana.odisha.gov.in/ ମାଧ୍ୟମରେ ସିଧାସଳଖ ମତାମତ।
ହ୍ୱାଟସଆପ୍ ଚାଟବଟ୍: +91-7400221903 ନମ୍ବରରେ ମତାମତ ପ୍ରଦାନ।
ଟୋଲ-ଫ୍ରି ନମ୍ବର: 14471 ମାଧ୍ୟମରେ ଅଭିଯୋଗ ଓ ପରାମର୍ଶ।
ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିଟି ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରି ସରକାରୀ ଯୋଜନାର ସୁଫଳ ସଂପର୍କରେ ଜାଣିଥିଲେ । ସେ କହିଥିଲେ, ‘ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ । ଏହା ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବ ।’ ଏହି କାର୍ଯ୍ୟକ୍ରମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତ୍ୱ କମାଇବାରେ ସହାୟକ ହେବ । କାର୍ଯ୍ୟପ୍ରଣାଳୀ‘ଆମ ଶାସନ’ ନାଗରିକଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ସୁନିର୍ଦ୍ଧିଷ୍ଟ ପ୍ରକ୍ରିୟା ଅନୁସରଣ କରୁଛି । ନାଗରିକଙ୍କ ଭୂମିକା‘ଆମ ଶାସନ’ରେ ନାଗରିକମାନେ ଏକ ପ୍ରମୁଖ ସ୍ତମ୍ଭ । ସେମାନଙ୍କର ନିରପେକ୍ଷ ମତାମତ ଓ ପରାମର୍ଶ ଶାସନ ବ୍ୟବସ୍ଥାକୁ ପ୍ରମାଣ-ଭିତ୍ତିକ, ଦକ୍ଷ ଓ ବଳିଷ୍ଠ କରିବାରେ ସହାୟକ । ଜନସାଧାରଣଙ୍କ ମତାମତ ବିନା କୌଣସି ଯୋଜନା ସଫଳ ହୋଇପାରିବ ନାହିଁ । ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।