Utkala Mirror I Odisha News, Latest Odia News

ଆମ ଶାସନ’ର ଆରମ୍ଭ କଲେ ମୋହନ ସରକାର

ରାଜ୍ୟରେ ନାଗରିକକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ‘ଆମ ଶାସନ’ ନାମକ ଏକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିଛନ୍ତି । ଏହି ବୈପ୍ଲବିକ ପଦକ୍ଷେପ ସରକାରୀ ସେବାର ଗୁଣବତ୍ତା ବୃଦ୍ଧି, ସ୍ୱଚ୍ଛତା ଓ ଉତ୍ତରଦାୟିତାକୁ ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ‘ଆମ ଶାସନ’ ହେଉଛି ଓଡ଼ିଶା ସରକାରଙ୍କର ଏକ ଅଭିନବ ପଦକ୍ଷେପ, ଯାହା ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ମାର୍ଟ, ଆଧୁନିକ, ଦକ୍ଷ ଏବଂ ସ୍ୱଚ୍ଛ କରାଇବ । ଜନସାଧାରଣଙ୍କ ମତାମତକୁ ପ୍ରାଥମିକତା ଦେଇ ସେବାର ଗୁଣବତ୍ତା ଉନ୍ନତ କରିବା, ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଓ ସରକାରୀ କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ତଥା ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜନସେବା ପ୍ରଦାନ ଓ ଫିଡ଼ବ୍ୟାକ ସଂଗ୍ରହ କରିବା ବୋଲି କୁହାଯାଇଛି । ଆମ ଶାସନ ହେଉଛି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି-ଆଧାରିତ ଫିଡ଼ବ୍ୟାକ୍ ସିଷ୍ଟମ, ଯାହା ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଟେଲିଫୋନ ଜରିଆରେ ମତାମତ ଗ୍ରହଣ କରିବା ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ମୋବାଇଲ ଆପ୍ ମାଧ୍ୟମରେ ଫିଡ଼ବ୍ୟାକ୍ ସଂଗ୍ରହ କରିବେ । ।

ଏହା ଜରିଆରେ ନାଗରିକମାନେ ନିମ୍ନଲିଖିତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଓ ପରାମର୍ଶ ପ୍ରଦାନ କରିପାରିବେ:

ୱେବସାଇଟ୍ ଚାଟବଟ୍: https://amashasana.odisha.gov.in/ ମାଧ୍ୟମରେ ସିଧାସଳଖ ମତାମତ।

ହ୍ୱାଟସଆପ୍ ଚାଟବଟ୍: +91-7400221903 ନମ୍ବରରେ ମତାମତ ପ୍ରଦାନ।

ଟୋଲ-ଫ୍ରି ନମ୍ବର: 14471 ମାଧ୍ୟମରେ ଅଭିଯୋଗ ଓ ପରାମର୍ଶ।

ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିଟି ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରି ସରକାରୀ ଯୋଜନାର ସୁଫଳ ସଂପର୍କରେ ଜାଣିଥିଲେ । ସେ କହିଥିଲେ, ‘ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ । ଏହା ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଉତ୍‌ତରଦାୟୀ କରିବ ।’ ଏହି କାର୍ଯ୍ୟକ୍ରମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତ୍ୱ କମାଇବାରେ ସହାୟକ ହେବ । କାର୍ଯ୍ୟପ୍ରଣାଳୀ‘ଆମ ଶାସନ’ ନାଗରିକଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ସୁନିର୍ଦ୍ଧିଷ୍ଟ ପ୍ରକ୍ରିୟା ଅନୁସରଣ କରୁଛି । ନାଗରିକଙ୍କ ଭୂମିକା‘ଆମ ଶାସନ’ରେ ନାଗରିକମାନେ ଏକ ପ୍ରମୁଖ ସ୍ତମ୍ଭ । ସେମାନଙ୍କର ନିରପେକ୍ଷ ମତାମତ ଓ ପରାମର୍ଶ ଶାସନ ବ୍ୟବସ୍ଥାକୁ ପ୍ରମାଣ-ଭିତ୍ତିକ, ଦକ୍ଷ ଓ ବଳିଷ୍ଠ କରିବାରେ ସହାୟକ । ଜନସାଧାରଣଙ୍କ ମତାମତ ବିନା କୌଣସି ଯୋଜନା ସଫଳ ହୋଇପାରିବ ନାହିଁ । ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version