Utkala Mirror I Odisha News, Latest Odia News

ଏଫଏମ ଛାତ୍ରୀ ଆତ୍ମାହୁତି ମାମଲା, ଛାତ୍ରୀଙ୍କ ଚିକିତ୍ସା ସରକାର କରିବେ : ଉଚ୍ଚସ୍ତରୀୟ କମିଟି ତଦନ୍ତ କରିବ

ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରୀଜଣକ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରକାର ଚିକିତ୍ସା ଖର୍ଚ୍ଚ ବହନ କରିବେ । ଛାତ୍ରୀ ଚିକିତ୍ସିତ ହେଉଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ଏମ୍ସ ନିକଟସ୍ଥ ଧର୍ମଶାଳାରେ ରଖିବାର ବ୍ୟବସ୍ଥା ସରକାର କରିଛନ୍ତି ।  ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ଏନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଚିଠଇ ଲେଖି ପୀଡ଼ିତାଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରର ଏମ୍ସରେ ଗୁରୁତର ଭାବେ ଭର୍ତ୍ତି ହୋଇଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସନ୍ଧ୍ୟାରେ ଭେଟିଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ଏଥି ସହିତ ମନ୍ତ୍ରୀ କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତକୁ ଗିରଫ ପରେ‌ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ସରକାର ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ନିଲମ୍ବନ କରିଛନ୍ତି। ବିଭାଗ ପକ୍ଷରୁ ସଂପୃକ୍ତ ଅଧ୍ୟାପକ ସମୀର କୁମାର ସାହୁ ଏବଂ ପ୍ରିନିସ୍‌ପାଲ ଦିଲ୍ଲୀପ କୁମାର ଘୋଷଙ୍କୁ ଶନିବାର ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଉକ୍ତ ଘଟଣାରେ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ସ୍ୱରୁପ କଲେଜର ପ୍ରିନିସପାଲ, ଅଭିଯୁକ୍ତ ବିଭାଗୀୟ ମୁଖ୍ୟଙ୍କୁ ନିଲମ୍ବନ କରାଯାଇଛି। ଏଚଓଡ଼ିଙ୍କୁ ପୋଲିସ ହେପାଜତକୁ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହାବାଦ୍‌ ବିଭାଗ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିଦେର୍ଶକଙ୍କ ଅଧକ୍ଷତାରେ ଜଣେ ଉଚ୍ଚସ୍ତରୀୟ ମହିଳା ଅଧିକାରୀ(ଯୁଗ୍ମସଚିବ ପାହ୍ୟା), ଜଣେ ବରିଷ୍ଠ ଏକାଡେମୀସିଆନ(ଅନ୍ୟ କଲେଜଅଧ୍ୟକ୍ଷା)ଙ୍କୁ ନେଇ ଏକ କମିଟି ଗଠନ ହୋଇଛି। କମିଟିର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂପୃକ୍ତ ଛାତ୍ରୀଙ୍କୁ କିଭଳି ତ୍ୱରିତ ଚିକିତ୍ସା ମିଳି ପାରିବ ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ପଦକ୍ଷେପ ଗ୍ରହଣ କରାଯିବ। ଏହି ଘଟଣାରେ ସଂପୃକ୍ତ ଛାତ୍ରୀ ପୂର୍ବରୁ ରିପୋର୍ଟ କରିଥିଲେ ହେଁ କାହିଁକି ସରକାରୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ପ୍ରିନିସପାଲ ଦିଲ୍ଲୀପ କୁମାର ଘୋଷ ଏବଂ ଅଧ୍ୟାପକ ସମୀର କୁମାର ସାହୁଙ୍କୁ ନିଲମ୍ବନ ନିଦେର୍ଶାନାମା ଜାରି କରାଯାଇଛି। ସେଥିରେ ବିଭାଗୀୟ ଯୁଗ୍ମସଚିବ ଦର୍ଶାଇଛନ୍ତି ଯେ, ଉକ୍ତ ଘଟଣାର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସମୀର କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି ମାମଲାର ତଦନ୍ତଭାର ନେଇଥିବା ପ୍ରିନିସପାଲ ତଦନ୍ତରେ ବିଫଳ ହୋଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଯେ, ୨ ତାରିଖରେ ସଂପୃକ୍ତ ଅଧ୍ୟାପକଙ୍କ ନାଁରେ ସଂପୃକ୍ତ ଛାତ୍ରୀ ଅଭିଯୋଗ ଆଣିଥିଲେ। ଅଧ୍ୟାପକ୍ଷଙ୍କ ଖରାପ ଉଦେ୍ଦଶ୍ୟ ଥିବା ଅଭିଯୋଗରେ ଦର୍ଶାଇଥିଲେ। ହେଲେ ମହାବିଦ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛିଥିଲେ।

Exit mobile version