Utkala Mirror I Odisha News, Latest Odia News

ବିଏମସିରେ ପଶି ଅତିରିକ୍ତ କମିଶନରଙ୍କୁ ପିଟିଲେ, ୩ ବନ୍ଧାହେଲେ

ଗୋଇଠା-ବିଧା ମାରି ଘୋଷାଡ଼ି ନେଲେ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ୧ ଓଏଏସ୍‌ ରତ୍ନାକର ସାହୁଙ୍କୁ ସୋମବାର ମରଣାନ୍ତକ ଆକ୍ରମଣ ହୋଇଛି । ୬ ଜଣ ଦୁର୍ବୃତ୍ତ ପୂର୍ବାହ୍ନରେ ବିଏମସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣୀ ଚାଲିଥିବାବେଳେ ଅତିରିକ୍ତ କମିଶନରଙ୍କୁ ତାଙ୍କ ଦପ୍ତରରେ ମାଡ଼ ମାରିବା ସହ ବିଏମସି ମୁଖ୍ୟାଳୟର ବାହାର ଯାଏଁ ଘୋଷାଡ଼ି ନେଇ ଗୋଇଠା, ବିଧା, ମୁଥ ମାରିଥିବା ନେଇ ଅତିରିକ୍ତ କମିଶନର ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।

ଅତିରିକ୍ତ କମିଶନର ଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ନଥିବାରୁ ଅତିରିକ୍ତ କମିଶନର ୧ ଭାବେ ସେ ପୂର୍ବାହ୍ନରେ ଅଭିଯୋଗ ଶୁଣାଣୀ କରୁଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ସେ ବିଏମସି ମୁଖ୍ୟାଳୟର ୟୁଜି ଫ୍ଲୋରରେ ଶୁଣାଣୀ କରୁଥିବାବେଳେ ୱାର୍ଡ ନମ୍ବର ୨୯ କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ ଜୀବନ ରାଉତ ଓ ୬ରୁ ୭ ଜଣ ଯୁବକ ଦପ୍ତରକୁ ଆସିଥିଲେ ।

ସେମାନେ ଅଭିଯୋଗ ନେଇ ଆସିଥିବା ଅତିରିକ୍ତ କମିଶନର ଭାବିଥିଲେ, କିନ୍ତୁ କର୍ପୋରେଟର ଜୀବନ ରାଉତ ଜଗା ଭାଇଙ୍କୁ କ’ଣ କହିଲେ ବୋଲି ପଚାରିଥÒଲେ ଓ ତାଙ୍କୁ ଦୁର୍ବ୍ୟବହାର କରିଥିବା କହିଥିଲେ । ହେଲେ ଏମିତି କିଛି ଅତିରିକ୍ତ କମିଶନର କରିନଥିବା କହିବା ସତ୍ତ୍ବେ କର୍ପୋରେଟରଙ୍କ ସହ ଆସିଥିବା ୬ରୁ ୭ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ଘୋଷାଡ଼ି ଘୋଷାଡ଼ି ବିଏମସି ମୁଖ୍ୟ ଗେଟ୍‌ ବାହାରକୁ ନେଇଥିଲେ ।

ଅତିରିକ୍ତ କମିଶନର ଶ୍ରୀ ସାହୁ ସମ୍ପୃକ୍ତ ଯୁବକଙ୍କୁ ଭୁଲ ମାଗିବା ସହ କ୍ଷମା କରି ଦେବାକୁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ତାଙ୍କୁ ଗୋଇଠା-ବିଧା ମାରି ଚାଲିଥିଲେ । ଶେଷରେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନିକଟକୁ ଯାଇ କ୍ଷମା ମାଗିବା ଲାଗି ଧମକ ଦେଇଥିଲେ । ଜୋର ଜବରଦସ୍ତି ତାଙ୍କ କାର ନିକଟକୁ ଘୋଷାଡ଼ି ନେଇଥିଲେ, ବିଏମସିର କିଛି କର୍ମଚାରୀ ପହଞ୍ଚି ଉଦ୍ଧାର କରିବା ସମୟରେ ଘଟଣାସ୍ଥଳରୁ ସମସ୍ତେ ଖସିଯାଇଥିଲେ ।

ବିଜେଡି ପକ୍ଷରୁ ନିନ୍ଦା

ଦୁର୍ବୃତ୍ତମାନେ ବିଏମସିରୁ ଯିବା ପୂର୍ବରୁ ଅତିରିକ୍ତ କମିଶନର ଶ୍ରୀ ସାହୁଙ୍କର ଫୋନ୍‌ ନେଇଯାଇଥିଲେ । ବିଭିନ୍ନ ଅଶ୍ଳିଳ ଚିତ୍ର ଓ ଭିଡିଓକୁ ଦୁର୍ବୃତ୍ତମାନେ ଅତିରିକ୍ତ କମିଶନରଙ୍କ ହ୍ବାଟ୍ସ ଆପରେ ଥିବା କଣ୍ଟାକ୍ଟକୁ ପଠାଇଥିଲେ । ଏନେଇ ଅତିରିକ୍ତ କମିଶନର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ୍‌ ଏନେଇ ମାମଲା ରୁଜୁ କରି ତଦନ୍ତ କରିଥିବାବେଳେ ସନ୍ଧ୍ୟା ଯାଏଁ ଜଣେ ହେଲେ ବି ଦୁର୍ବୃତ୍ତଙ୍କୁ ଗିରଫ କରିନଥିଲା ।

ଯାହାକୁ ନେଇ ବିଏମସି କର୍ମଚାରୀ ଓ କର୍ପୋରେଟରଙ୍କ ମହଲରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଦିନ ତମାମ ବିଏମସିର ସମସ୍ତ କର୍ମଚାରୀ ଓ ଅଧÒକାରୀ କାମ ବନ୍ଦ କରି ଧାରଣାରେ ବସିଥିଲେ । ଦିନ ଦ୍ବିପ୍ରହରରେ ଆକ୍ରମଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସନ୍ଧ୍ୟାରେ ମେୟର ସୁଲୋଚନା ଦାସ କର୍ମଚାରୀଙ୍କ ସମର୍ଥନରେ ବିଏମସି ଫାଟକ ସାମ୍ନାରେ କର୍ପୋରେଟରଙ୍କୁ ନେଇ ଧାରଣା ଦେଇଥିଲେ । ଏହାସତ୍ତ୍ବେ ପୋଲିସ୍‌ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ପରେ ଭୁବନେଶ୍ବରର ମଧ୍ୟ ବିଧାୟକଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାବର୍ମା ପ୍ରମୁଖ ବିଏମସି ସାମ୍ନାରେ ପହଞ୍ଚି ବିଏମସି କର୍ମଚାରୀଙ୍କ ଦାବିକୁ ସମର୍ଥନ ଜଣାଇ ଗେଟ୍‌ ସାମ୍ନାରେ ଚାଲିଥିବା ଧାରଣା ଜନପଥକୁ ନେଇଥିଲେ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ବରିଷ୍ଠ ବିଜେଡ଼ି ନେତା ଜନପଥରେ ଧାରଣା ଦେଇଥିଲେ ।

ଅସମ୍ଭାଳ ଭିଡ଼ ସହ ଜନପଥ ଜାମ ହୋଇଥିଲା । ସ୍ଥତି ଅସମ୍ଭାଳ ହେବା ପରେ ସନ୍ଧ୍ୟା ୭ଟା ୧୯ରେ ଏହି ଘଟଣାରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଥିବା ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଥିଲେ । ଡିସିପି କାର୍ଯ୍ୟାଳୟରୁ ବିଧÒବଦ୍ଧ ସୂଚନା ଅନୁସାରେ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଖାରବେଳ ନଗର ଥାନା ପୋଲିସ୍‌ ୨୮୦ରେ ବିଏନଏସ ୩୩୩/୧୩୨/୧୨୧/(୧)/୧୨୧(୨)/୧୦୯/୩୫୧(୨)/୬୨/୧୪୦(୨)/୩୦୪/୫୪/୬୧(୨)/୧୮୯(୨)/୧୯୦/୩(୫)ରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଏହି ଘଟଣାରେ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲେ ।

ମାମଲାରେ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଫେରାର ଥିବା ବାକି ଅଭିଯୁକ୍ତଙ୍କ ଚିହ୍ନଟ ପ୍ରକ୍ରିୟା ସରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଥିଲେ । ସେପଟେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ ଦାବିରେ ଜନପଥରେ ବିଜେଡ଼ି ବରିଷ୍ଠ ନେତା, ବିଧାୟକ, ମେୟର ଓ କର୍ପୋରେଟରଙ୍କ ଧାରଣା ଜାରି ରହିଥିଲା । ଫଳରେ ଜନପଥରେ ବହୁ ଯାନବାହାନ ଅଟକି ରହିଥିଲା । କମିଶନରେଟ୍‌ ପୋଲିସ୍‌ ବିଜେଡ଼ି ବରିଷ୍ଠ ନେତା, ବିଧାୟକ, ମେୟର ଓ କର୍ପୋରେଟରଙ୍କୁ ଉଠାଇ ନେଇ ଯାତାୟତ ସ୍ବାଭାବିକ କରାଇଥିଲା ।

Exit mobile version