Utkala Mirror I Odisha News, Latest Odia News

ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଚିନ୍ତା ଲାଗିବ ଏୟାର ପ୍ୟୁରିଫାୟ 

ଭୁବନେଶ୍ୱରରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଭୟାବହ ଭାବେ ବଢ଼ିବା ପରେ ଏହାକୁ କମାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଉଛି। ସହରର ପ୍ରମୁଖ ସ୍ଥାନମାନଙ୍କରେ ଏୟାର ପ୍ୟୁରିଫାୟର ଲଗାଇବାକୁ ଯୋଜନା କରାଯାଇଛି ବୋଲି ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି।

ମେୟର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଜୟଦେବ ବିହାର ଓ ଏଜି ଛକ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏୟାର ପ୍ୟୁରିଫାୟର ସ୍ଥାପନ କରାଯିବ। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଆଲୋଚନା ମଧ୍ୟ ହୋଇସାରିଛି। ଏହାସହିତ ଧୂଳି ପ୍ରଦୂଷଣ ରୋକିବା ପାଇଁ ଯେଉଁଠାରେ ଝାଡୁ ମରାଯାଉଛି, ସେଠାରେ ପାଣି ସିଞ୍ଚନ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଦୂଷଣ ନିୟନ୍ତ୍ରଣ କେବଳ ବିଏମସିର ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସହଯୋଗ ଆବଶ୍ୟକ ବୋଲି ମେୟର ଗୁରୁତ୍ୱ ଦେଇଛନ୍ତି। ଗୋଟିଏ ଗୋଟିଏ ଘରେ ୪ରୁ ୫ଟି ଗାଡ଼ି ବ୍ୟବହାର କରିବା ଅନୁଚିତ ଏବଂ ଏହା ପ୍ରଦୂଷଣକୁ ଆହୁରି ବଢ଼ାଇଦେଉଛି ବୋଲି ସେ କହିଛନ୍ତି। ନାଗରିକମାନେ ସଚେତନ ହୋଇ ଯାନବାହାନ ବ୍ୟବହାରକୁ ସୀମିତ ରଖିବା ଉଚିତ୍ ବୋଲି ମେୟର ପରାମର୍ଶ ଦେଇଛନ୍ତି।

ଉଲ୍ଲେଖନୀୟ, ନୂଆ ବର୍ଷର ପ୍ରଥମ ଦିନ ଜାନୁଆରି ୧ ତାରିଖରେ ଭୁବନେଶ୍ୱରର AQI ୩୦୫କୁ ପହଞ୍ଚି ବିପଦସଙ୍କୁଳ ସ୍ଥିତି ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମସି ଏହି ପଦକ୍ଷେପଗୁଡ଼ିକ ନେଉଛି। ନାଗରିକମାନଙ୍କ ସହଯୋଗ ବିନା ଏହା ସଫଳ ହେବ ନାହିଁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।

Exit mobile version