Utkala Mirror I Odisha News, Latest Odia News

ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍ ମୃତ୍ୟୁ ଚିନ୍ତା ବଢ଼ାଇଛି। ଭୁବନେଶ୍ୱରରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ କୋଭିଡ୍ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସଂପୃକ୍ତ ବ୍ୟକ୍ତି କିଛି ଦିନ ତଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବ୍ୟକ୍ତି କୋଭିଡ୍ ସହ ବହୁବିଧ ଜଟିଳ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ତଥାପି, ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ନୁହେଁ, କାରଣ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।
ଗତକାଲି ରାଜ୍ୟରେ ଦୁଇ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ମଇ ୨୮ରେ ଭୁବନେଶ୍ୱରରୁ ୪ ଓ ଖୋର୍ଦ୍ଧାରୁ ଜଣେ ସମେତ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହିତ, ସାରା ଦେଶରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯୫କୁ ବୃଦ୍ଧି ପାଇଛି। କେରଳରେ ସର୍ବାଧିକ ୧,୩୩୬, ମହାରାଷ୍ଟ୍ରରେ ୪୬୭ ଓ ଦିଲ୍ଲୀରେ ୩୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ୨୦ରୁ ଅଧିକ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ରାଜ୍ୟରେ କୋଭିଡ୍ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିବାକୁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ସ୍ୱାସ୍ଥ୍ୟବିଧି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Exit mobile version