ରାଜଧାନୀ ଭୁବନେଶ୍ୱରରେ ଏଥର ଦୁର୍ଗା ପୂଜା ପାରମ୍ପାରିକ ବାଦ୍ୟ ଓ ସଂସ୍କୃତିର ଆଲୋକରେ ଅନୁଷ୍ଠିତ ହେବ। କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ପୂଜା ମଣ୍ଡପ ଓ ଭସାଣୀରେ ଡିଜେ, ଲେଜର ଲାଇଟ, ଆତଶବାଜି ଏବଂ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ ‘ନିଶାକୁ ନା’ ଅଭିଯାନରେ ସଚେତନତା ବଢ଼ାଇବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ମଜବୁତ କରିବା ସହ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପୂଜା ପାଇଁ କମିଶନରେଟ ପୋଲିସ କଡ଼ା ନିୟମ ଜାରି କରିଛି।
ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ସୋମବାର ପୋଲିସ ସେବା ଭବନରେ ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂହ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ବିଏମସି, ଟିପିସିଓଡିଏଲ, ଅଗ୍ନିଶମ ଓ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ଓ ଭସାଣୀ କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।ଏଥର ଭୁବନେଶ୍ୱରରେ ୧୮୭ଟି ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ପୂଜା ମଣ୍ଡପଗୁଡ଼ିକରେ ୬୫ ଡେସିବେଲରୁ ଅଧିକ ଶବ୍ଦ ଉତ୍ପନ୍ନ କରୁଥିବା ଯନ୍ତ୍ରପାତି ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି। ଭସାଣୀ ସମୟରେ ଡିଜେ, ଲେଜର ଲାଇଟ ଓ ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ଏହା ସହ ପୂଜା ମଣ୍ଡପଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଶେଷ ଜୋର ଦିଆଯାଇଛି। ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ସ୍ଥାପନ କରାଯିବ, ଯାହା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।
ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ନିୟୋଜନ କରାଯିବ। ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ତାଲିମପ୍ରାପ୍ତ ଟ୍ରାଫିକ ଭଲଣ୍ଟିୟର ଏବଂ ହର ଟିମ ମୁତୟନ ହେବେ। ଅପରାଧୀ ଓ ଦାଗୀମାନଙ୍କୁ ଗିରଫ କରି ଜେଲ ପଠାଯିବ। ଏହା ସହ ‘ନିଶାକୁ ନା’ ଅଭିଯାନକୁ ଜୋରଦାର କରିବା ପାଇଁ ପୂଜା କମିଟିଗୁଡ଼ିକୁ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ପୂଜା ପୂର୍ବରୁ ସମସ୍ତ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିପିସିଓଡିଏଲକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ରାବଣ ପୋଡ଼ି ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିଲେ ଅନୁମତି ମିଳିବ ନାହିଁ। ଏହା ସହ ରାସ୍ତା କଡ଼ରେ ବଡ଼ ତୋରଣ ନିର୍ମାଣ ପାଇଁ ମଧ୍ୟ ସ୍ଥାନ ଆବଶ୍ୟକ। ମୂର୍ତ୍ତି ନିର୍ମାଣରେ ରାସାୟନିକ ପଦାର୍ଥ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି।
ପୋଲିସ କମିଶନର ଏସ. ଦେବଦତ୍ତ ସିଂହ କହିଛନ୍ତି, “ଆମେ ଏକ ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ଦୁର୍ଗା ପୂଜା ଲକ୍ଷ୍ୟ ରଖିଛୁ। ପାରମ୍ପାରିକ ବାଦ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।”