କମିସନରେଟ୍ ପୋଲିସ ଭୁବନେଶ୍ବରରେ ଏକ ବଡ଼ଧରଣର ଚାକିରି ଠକେଇର ପର୍ଦ୍ଦାଫାସ କରିଛି। ବିଦେଶରେ ଚାକିରି ଦେବା ନାରେ ଟଙ୍କା ଠକେଇର ମାମଲାରେ ସହିଦନଗର ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀପତି ପାତ୍ର ଓରଫ ଅଜୟ (୩୯) ଓ ମିଲନ କୁମାର ସିଂହ (୨୫)।
ସହିଦନଗର ପୋଲିସ ସୂଚନା ମୂତାବକ, ଅଭିଯୁକ୍ତ ସଞ୍ଜୟ କୁମାର କୋଲି, ସଞ୍ଜିଲାଲ କାନାବାଇ, ଅଜୟ କୁମାର ପାତ୍ର, ନିର୍ମଳ ଚନ୍ଦ୍ର ସାହୁ, କମଳ ଲୋଚନ ଦାସ ଓ ମିଲନ କୁମାର ସିଂହ ଜାଲିଆତି କରି ଭୁବନେଶ୍ୱରର ଜୟଦେବ ବିହାରରେ ଭିଟ୍ରେକୃତି ନାମକ ଏକ ଇମିଗ୍ରେସନ୍ କନସଲଟାନ୍ସି ପରିଚାଳନା କରୁଥିଲେ।
ସିଙ୍ଗାପୁରରେ ବିଦେଶୀ ନିଯୁକ୍ତିର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବବର୍ଗଙ୍କୁ ଠକୁଥିଲେ। କର୍ମ ସଂସ୍ଥାନ ପାଇଁ ବେକାର ଯୁବକଙ୍କଠାରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥÒବାବେଳେ ସକ୍ରିୟ ଭାବରେ ସମ୍ପୃକ୍ତ ନିର୍ମଳ ଚନ୍ଦ୍ର ସାହୁ ଏବଂ କମଳ ଲୋଚନ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇଥିବା ଦର୍ଶାଯାଇଛି।
ପୀଡିତଙ୍କୁ କୋଡ଼ିଏ ହଜାର ମୂଲ୍ୟର ବିମାନ ଟିକେଟ୍ ଦିଆଯାଇଥିଲା, କିନ୍ତୁ କୌଣସି ବୈଧ ଭିସା ବ୍ୟବସ୍ଥା ନଥିଲା। ଠକେଇରେ ଶୀକାର ହୋଇଥିବା ବ୍ୟକ୍ତିମାନେ ସତ ଜାଣିବା ପରେ ସଂପୃକ୍ତ ସଂସ୍ଥା ତାର କାର୍ଯ୍ୟାଳୟ କୁ ସର୍ବସାଧାରଣ ଙ୍କ ପାଇଁ ବନ୍ଦ ରଖିଥିଲା। ଏହି ଅଭିଯୋଗ ଆଧାରରେ ସହିଦନଗର ପୋଲିସ୍ କେସ ନମ୍ବର ୨୧୮ ଧାରା ୩୧୮ (୪)/୩(୫) ବିଏନ୍ଏସରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ଜଣାପଡିଥିଲା ଯେ ଅପରାଧରେ ସକ୍ରିୟ ଭାବରେ ଜଡିତ ଅଭିଯୁକ୍ତ ନିର୍ମଳ ଚନ୍ଦ୍ର ସାହୁ ଏବଂ କମଳ ଲୋଚନ ଦାଶଙ୍କୁ ପୂର୍ବରୁ ଗିରଫ କରାଯାଇ ୧.୦୬.୨୦୨୫ରେ କୋର୍ଟକୁ ପଠାଯାଇଥିଲା। ଅଧିକ ତଦନ୍ତରୁ ଜଣାପଡିଥିଲା ଯେ ଠକମାନେ ମିଲନ କୁମାର ସିଂହଙ୍କ ସହାୟତାରେ ତାଙ୍କ ନାମରେ କମ୍ପାନି ଖୋଲି ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ପରିଚାଳନା କରୁଥିଲେ। ଶ୍ରୀପତି ପାତ୍ର ଅଜୟ ଏବଂ ମିଲନ କୁମାର ସିଂହଙ୍କ ବିରୁଦ୍ଧରେ ପ୍ରାଥମିକ ପ୍ରମାଣ ମିଳିଥିବାରୁ, ସେମାନଙ୍କୁ ରବିବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଚାଲିଛି ଏବଂ ମୁଖ୍ୟ ଅଭିଯୁକ୍ତ ଏବଂ ଅପରାଧରେ ଜଡିତ ଅନ୍ୟ କୌଣସି ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ କରୁଥÒବା ଡିସିପି ଜଗମୋହନ ମୀନା କହିଛନ୍ତି।