Utkala Mirror I Odisha News, Latest Odia News

ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରୁ ନର୍ସଙ୍କ ମୃତ ଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ୨୨ ବର୍ଷୀୟା ଏହି ନର୍ସଙ୍କ ନାମ ସୋନାଲି ରାଉତ ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ପାଟପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୋନାଲୀ ନାଇଟ୍‌ ଡ୍ୟୁଟି କରୁଥିବାବେଳେ କିଛି ସମୟ ଲାଗି ଅନୁପସ୍ଥିତ ଥିଲେ। ସହକର୍ମୀମାନେ ଖୋଜାଖୋଜି ପରେ ସେ ଷ୍ଟାଫ ବାଥରୁମରେ ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛି। ଅପମୃତ୍ୟୁ, ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ୟ କୌଣସି ଅପରାଧିକ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି।

ପୋଲିସକୁ ଘଟଣାସ୍ଥଳରୁ ଗୋଟିଏ କାଗଜ ଓ ଗୋଟିଏ ସିରିଞ୍ଜ ମିଳିଥିଲା। ସେହି କାଗଜରେ ମୃତ ନର୍ସ ଆତ୍ମହତ୍ୟା କଥା ଲେଖିଥିବା ପୋଲିସ୍ କହୁଛି। ପୋଲିସ୍‌ ହସ୍ତାକ୍ଷର ଚିହ୍ନିବାକୁ ସେହି ପେପରର ଯେଉଁ ଫଟୋ ଉଠାଇଥିଲା, ତାହାକୁ ଦେଖାଇଥିଲା। ସେହି ହସ୍ତାକ୍ଷର ମୋ ଭଉଣୀର ହସ୍ତାକ୍ଷର ସହ ପ୍ରାୟ ମିଶିଯାଉଛି। ପୋଲିସ୍ ଆମକୁ ଜବତ କରିଥିବା ସିରିଞ୍ଜ ଦେଖାଇଥିଲା। ସେହି ସିରିଞ୍ଜରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତା ହାତରେ ସିରିଞ୍ଜ ଫୋଡ଼ାଯିବାର ଦାଗ ରହିଥିବା ମୃତ ସୋନାଲୀଙ୍କ ଭାଇ କହିଛନ୍ତି।

ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ କାହିଁକି ଆତ୍ମହତ୍ୟା କଲା ଆମେ ଜାଣିନୁ। ସୁଇସାଇଡ୍‌ ନୋଟ୍ ପଢ଼ିଲେ ଯାହା କିଛି ଜଣାପଡ଼ିବ। ସେ ହଷ୍ଟେଲରେ ବି ଆତ୍ମହତ୍ୟା କରିପାରିଥାନ୍ତା। ଡାକ୍ତରଖାନାରେ କାହିଁକି କଲା? ମୃତ ନର୍ସଙ୍କ ଜଣେ ସଂପର୍କୀୟ କହିଛନ୍ତି ଯେ ତାଙ୍କର ଲଗାତାର ୫ ଦିନ ହେଲା ନାଇଟ୍ ଡ୍ୟୁଟି ପଡ଼ୁଥିଲା। ଛୁଟି ମିଳି ନଥିଲା। ସକାଳେ ସେ ଡ୍ୟୁଟି ସାରି ଭାଇକୁ ରାକ୍ଷୀ ପିନ୍ଧାଇବାକୁ ଗାଁକୁ ଯାଇଥାନ୍ତେ। ଘଟଣାର ନିରପେକ୍ଷ ତଦନ୍ତ କରି ମୃତ ନର୍ସଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଷ୍ଟାଫଙ୍କୁ ପଚରାଉଚୁରା କରୁଛି। ସମସ୍ତ ଦିଗକୁ ଖୋଲା ରଖି ତଦନ୍ତ ଚାଲିଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ କହିଛି।

 

Exit mobile version