ଭାରତ-ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ କରିବେ । ଏହି ମକ୍ ଡ୍ରିଲରେ ରାଜ୍ୟର ୧୨ଟି ଜିଲ୍ଲା ସାମିଲ କରାଯାଇଥିବାବେଳେ ଯେଉଁଥିରେ ରାଜଧାନୀ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି । ବୋମା ବର୍ଷଣକୁ ନେଇ ମକ୍ ଡ୍ରିଲ୍ କରାଯିବାକୁ ଥିବାବେଳେ ବାପୁଜୀ ନଗରରରୁ ରାଜମହଲ ଯାଏଁ ମକଡ୍ରିଲ୍ କରାଯିବ । ଅପରାହ୍ନ ୪ଟା ବେଳେ ସାଇରନ୍ ବାଜିବ । ସାଇରନ ଶବ୍ଦ ଶୁଣିଲେ ଛାତ ତଳକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅଗ୍ନିଶମ ବିଭାଗ ଲୋକଙ୍କୁ ଅନୁରୋଧ କରିଥିବା ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ କହିଛନ୍ତି।
ବୁଧବାର ଅପରାହ୍ନ ୪ଟାରେ ପ୍ରଥମ ସାଇରନ୍ ବାଜିବ । ଏହା ପରେ ମକ୍ ଡ୍ରିଲ ଆରମ୍ଭ ହେବ । ମକ୍ ଡ୍ରିଲ୍ ସରିଲା ପରେ ପୁଣି ଥରେ ସାଇରନ ବାଜିବ। ଦ୍ବିତୀୟ ଥର ସାଇରନ ବାଜିଲା ପରେ ମକ୍ ଡ୍ରିଲ୍ ଶେଷ ହୋଇଛି ବୋଲି ଲୋକଙ୍କୁ ବୁଝିବାକୁ ପଡ଼ିବ ବୋଲି ଅଗ୍ନିଶମ ଆଇଜି ଶ୍ରୀ ଦାସ କହିଛନ୍ତି । ରାଜଧାନୀ ଭୁବନେଶ୍ବର ବ୍ୟତୀତ ଓଡ଼ିଶାର ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍ଡ୍ରିଲ୍ ପାଇଁ ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବରରେ ପ୍ରଥମ ସାଇରନର ପରେ ଆଉ ଏକ ସାଇରନ୍ ବାଜିବ ।
ଦ୍ଵିତୀୟ ସାଇରନ ଶୁଣିବା ପରେ ଲୋକେ ଘରୁ ବାହାରିପାରିବେ। ମକ୍ ଡ୍ରିଲ୍ କ’ଣ ସେନେଇ ଲୋକଙ୍କୁ ସଚେତନ କରାଯିବ । ଯଦି ଯୁଦ୍ଧ ପରିସ୍ଥିତି ଆସେ ଓ ବୋମା ବର୍ଷଣ ହୁଏ ତେବେ କିଭଳି ସୁରକ୍ଷିତ ରହିବେ ସେନେଇ ମକ ଡ୍ରିଲ ହେବ । ବୁଧବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ । ପକ୍କା ଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ । କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆ ଯିବ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧକୁ ନେଇ କିଛି କୁହାଯାଇ ପାରୁ ନାହିଁ । ଯଦି କିଛି ହୁଏ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ ।
ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇଁ ବ୍ଲାକଆଉଟ୍ ବ୍ୟବସ୍ଥା କରାଯିବ । ମକଡ୍ରିଲ୍ ସମୟରେ ବିଦ୍ୟୁତ କାଟ କରାଯିବ । ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଓ କାରଖାନାକୁ ଶତ୍ରୁଙ୍କ ଆଖିରୁ ଲୁଚାଇବାକୁ ବ୍ୟବସ୍ଥା କରାଯିବ । ବୁଧବାର ୪ ଟାରେ ୫ ମିନିଟ୍ ଧରି ସାଇରନ ବାଜିବ । ଏହି ସମୟରେ ଡରିବାର ଆବଶ୍ୟକତା ନାହିଁ । ୫ ରୁ ୧୦ ମିନିଟ୍ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ । ଘରେ ଟର୍ଚ୍ଚ ଓ ମହମବତୀ ମହଜୁଦ କରି ରଖିବେ । ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀଙ୍କ ସୂଚନା ଉପରେ ଭରସା କରିବାକୁ ଡିଜି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି ଉଭୟ ଦେଶ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଅନେକ ଏହାକୁ ଯୁଦ୍ଧ ପରିସ୍ଥିତି ଭାବେ ଦେଖୁଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ୭ ତାରିଖ ଦିନ ଦେଶରେ ମକ୍ ଡ୍ରିଲ୍ ପାଇଁ ଆଦେଶ ଦେଇଛନ୍ତି । ବୁଧବାର ଅପରାହ୍ନରେ ରାଜ୍ୟ ସାରା ଏହି ମକଡ୍ରିଲର ଆୟୋଜନ କରାଯିବା ସହ ରାଜ୍ୟ ସରକାର ଏନେଇ ବ୍ୟାପକ ପ୍ରସ୍ତୁତି ହାତକୁ ନେଇଛନ୍ତି ।