ସୋମବାର ବିଜେଡିର ବରଗଡ ଚାଷୀ ସମାବେଶ

ସୋମବାର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଚାଷୀ ସମାବେଶ କରିବ ବିଜେଡି । ଚଳିତ ଖରିଫ ଋତୁରେ ଚାଷୀ ପଞ୍ଜିକରଣରେ ସମସ୍ୟା ଓ ଧାନକାଟ୍ ପ୍ରତିବାଦରେ ବିଜେଡିର ଏହି ସମାବେଶରେ ଦଳର ରାଜ୍ୟସ୍ତରୀୟ ନେତାମାନେ ଯୋଗଦେବେ ବୋଲି ଜଣାପଡ଼ିଛି । ସୋମବାର ବରଗଡ଼ ସହରରେ ବିଜେଡି ଏକ ବିଶାଳ ଚାଷୀ ସମାବେଶ କରିବ ବୋଲି ସୂଚନା ଦେଇଛି । ଏକ ବିଶାଳ ରାଲି ଓ ପ୍ରତିବାଦ ସଭା କରି ଦଳର ନେତାମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର, ରାଜନୀତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା ଓ ପ୍ରଣବପ୍ରକାଶ ଦାସଙ୍କ ସମେତ ପ୍ରତାପ ଜେନା, ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଗଧାଡ଼ିର ରାଜ୍ୟସ୍ତରୀୟ ନେତାମାନେ ବରଗଡ଼ ଗସ୍ତରେ ଯାଇଥିବା ଜଣାପଡ଼ିଛି । ବିଜେଡି ଅଭିଯୋଗ କରୁଛି ଯେ ବିଜେପି ସରକାରଙ୍କ ଅମଳରେ ଚାଷୀ ପଞ୍ଜୀକରଣରେ ସମସ୍ୟା, ଧାନ କିଣାରେ କଟନି-ଛଟନି ଏବଂ ସାରର ଅଭାବ ଦେଖାଦେଇଛି । ଯଦିଓ ଏହି ସମସ୍ୟାଗୁଡ଼ିକ ବିଜେଡିର ୨୪ ବର୍ଷର ଶାସନରେ ବି ରହିଥିଲା । ବିଜେପି ଏହାର ପାଲଟା ଜବାବରେ କହିଛି ଯେ, ବିଜେଡିର ଏହି ସମାବେଶ ଚାଷୀଙ୍କ ପାଇଁ ନୁହେଁ ବରଂ ନିଜର ରାଜନୀତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏକ ପ୍ରୟାସ । ବିଜେପି ସରକାର କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ଯେଉଁଥିରେ ଇନପୁଟ୍ ସହାୟତାବାଦରେ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଦେଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରଠୁ ଦଳରେ ଅନ୍ତଃକନ୍ଦଳ ଓ ସାଙ୍ଗଠନିକ ଅସ୍ଥିରତା ବଢ଼ିବାରେ ଲାଗିଛି । ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ନିଷ୍କ୍ରିୟତା ଯୋଗୁ ଦଳ ଏବେ ଦିଶାହୀନ ଅବସ୍ଥାରେ ରହିଛି । ବିଜେଡି ଏହି ସମାବେଶ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ କରୁଛି ବୋଲି ବିଜେପି ନେତା କଟାକ୍ଷ କରିଛନ୍ତି ।