Utkala Mirror I Odisha News, Latest Odia News

ବିଜେଡି ତୃଣମୂଳ ନେତା ଦଳ ଛାଡିବା ଚିନ୍ତା, ପ୍ରମିଳାଙ୍କ ଘରେ ମେଳି

ଯାଜପୁର ଜିଲା ବିଜେଡି ନେତାଙ୍କ ବୈଠକ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସିଥିଲା। ବୈଠକରେ ଜିଲାରେ ସଙ୍ଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଶ୍ରୀମତୀ ମଲ୍ଲିକଙ୍କ ସମେତ ବୈଠକରେ ପ୍ରଣବ ପ୍ରକାଶ(ବବି) ଦାସ, ପ୍ରୀତିରଂଜନ(ଡାନି) ଘଡ଼ାଇ, ପ୍ରଣବ କୁମାର(ଜିତୁ) ବଳବନ୍ତରାୟ, କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର, ଶର୍ମିଷ୍ଠା ସେଠୀ, ବିଧାୟକ ବିଶ୍ୱରଂଜନ ମଲ୍ଲିକ, ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେପି ଆରମ୍ଭ କରିଥିବା ଘୋଡ଼ା ବେପାର ଉପରେ ଆଲୋଚନା ହୋଇଥିଲା । ଟଙ୍କା ଦେଇ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କୁ କିଣୁଛି । ମାତ୍ର ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ନାହିଁ । ଯାଜପୁର ଜିଲ୍ଲାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ବୈଠକର ଆୟୋଜନ କରାଯାଇଥିଲା ବୋଲି ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ କହିଥିଲେ । ଶ୍ରୀ ଘଡ଼ାଇ ଏବଂ ଅନ୍ୟମାନେ ମଧ୍ୟ ସମାନ କଥା କହିଥିଲେ । ଗଣମାଧ୍ୟମର ପ୍ରଶ୍ନରେ ଆମେ ସବୁ ଏକ ହୋଇ ଅଛୁ ଏବଂ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଛୁ ବୋଲି କହିଥିଲେ ।
ବୈଠକ ନେଇ ପ୍ରମିଳା କହିଛନ୍ତି, ଦଳକୁ ସୁଦୃଢ଼ କରିବାକୁ ଏକତ୍ର ହୋଇଛୁ। ଦଳ ବିରୋଧରେ ଯିଏ ଯିବ, ସେମାନଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ଟାର୍ଗେଟ କରି ପ୍ରମିଳା କହିଲେ, ଶ୍ରୀ ମହାପାତ୍ର ପୂର୍ବରୁ ବିଜୁ ବାବୁଙ୍କୁ ହରାଇବାକୁ ଚେଷ୍ଟା କରିଥିଲେ, ପରେ ନବୀନ ବାବୁଙ୍କ ପ୍ରତି ଚକ୍ରାନ୍ତ କରିଥିଲେ । ଆଉ ଏବେ ବିଜେଡି ପାଇଁ ଚକ୍ରାନ୍ତ କରିଥିଲେ ବୋଲି ଖବର ମିଳିଥିଲା। ଶ୍ରୀ ଘଡ଼ାଇ କହିଛନ୍ତି, ସମୟ ଆସିଛି, ନୂଆ ନେତୃତ୍ବ ନିଅନ୍ତୁ। ଯେଉଁମାନେ ପୂର୍ବରୁ ନିଜକୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି। ନୂଆ ନେତୃତ୍ବ ନହେଲେ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ। ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି, ଯାଜପୁର ଜିଲାରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ ଆଲୋଚନା କରାଗଲା। ଆଗକୁ ବିଭିନ୍ନ କମିଟି ଗଠନ କରାଯିବ। ସେଥିରେ କେଉଁମାନେ ସ୍ଥାନ ପାଇବେ, ସେ ବିଷୟରେ ଆଲୋଚନା ହୋଇଛି। ଏନେଇ ପ୍ରସ୍ତାବ ଦଳର ସୁପ୍ରିମୋଙ୍କୁ ଦିଆଯିବ।

Exit mobile version