Utkala Mirror I Odisha News, Latest Odia News

ଦଳୀୟ ହୁଇପ ମାନିବାକୁ ସନା ଓ ଅରବିନ୍ଦଙ୍କୁ ବିଜେଡିର ନିର୍ଦ୍ଦେଶ

ବିଜେଡି ପକ୍ଷରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍ ଦେବାକୁ ହୁଇପ୍ ପାଳନ କରିବାକୁ ନୋଟିସ୍ ଜାରି କରାଯାଇଛି। ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରବିବାର ପୃଥକ ପୃଥକ ନୋଟିସ୍ ପଠାଇ ଉଭୟଙ୍କୁ ଚେତାବନୀ ଦେଇଛନ୍ତି।
ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଜାରି କରାଯାଇଥିବା ନୋଟିସ୍ ଅନୁଯାୟୀ, ଉଭୟ ବିଧାୟକ ବିଜେଡି ଚିହ୍ନରେ ନିର୍ବାଚିତ ହୋଇଥିଲେ। ଦଳୀୟ ବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ବହିଷ୍କୃତ ହୋଇନାହାନ୍ତି। ତେଣୁ ନିଲମ୍ବନ ସେମାନଙ୍କୁ ସାମ୍ବିଧାନିକ ଦାୟିତ୍ୱରୁ ମୁକ୍ତ କରୁନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ନୋଟିସରେ କୁହାଯାଇଛି ଯେ, ବିଜେଡି ପକ୍ଷରୁ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍ ଦେବାକୁ ହୁଇପ୍ ଜାରି କରାଯାଇଛି। ଏହି ହୁଇପକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ହୁଇପ୍ ବିରୋଧରେ ଭୋଟ୍ ଦେବେ କିମ୍ବା ଭୋଟ୍ ଦେବାକୁ ଯିବେ ନାହିଁ ତେବେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ସଦସ୍ୟପଦ ରଦ୍ଦ ହୋଇପାରେ। ଏହି ପରିପ୍ରେକ୍ଷୀରେ ଶ୍ରୀମତି ମଲ୍ଲିକ ନୋଟିସରେ ଉଦାହରଣ ଦେଇ ପୂର୍ବତନ ରାଜ୍ୟସଭା ସଦସ୍ୟ ଶରଦ ଯାଦବଙ୍କ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତାଙ୍କୁ ଦଶମ ଅନୁସୂଚୀ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିନଥିଲେ ବୋଲି ଉଲ୍ଲେଖ କରାଯାଇଛି।
ନୋଟିସରେ କୁହାଯାଇଛି ଯେ, ଯେଉଁ ମ୍ୟାଣ୍ଡେଟ୍ ଉପରେ ସେମାନେ ନିର୍ବାଚିତ ହୋଇଛନ୍ତି ତାହାକୁ ସମ୍ମାନ ଦେବା ସହ ହୁଇପ୍ ପାଳନ କରିବା ଉଚିତ୍। ହୁଇପ୍ ପାଳନ କଲେ ନିଲମ୍ବନ ସମ୍ପର୍କରେ ଦଳର ନେତୃତ୍ୱ ପୁନର୍ବିଚାର କରିବ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି। ଉଭୟ ନୋଟିସ୍ ରବିବାର ଅର୍ଥାତ୍ ମାର୍ଚ୍ଚ ୧୫ ତାରିଖରେ ଜାରି କରାଯାଇଛି ।

Exit mobile version