Utkala Mirror I Odisha News, Latest Odia News

ବିଜେଡିର ପଦଯାତ୍ରା

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ପ୍ରତିବର୍ଷ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥାଏ। ଗାନ୍ଧୀ ଜୟନ୍ତୀରେ ଦଳ ପକ୍ଷରୁ ପଦଯାତ୍ରା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏଥର ଦଶହରା ଛୁଟି ପାଇଁ ପଦଯାତ୍ରା ଆସନ୍ତା ୯ ତାରିଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ଆରମ୍ଭ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ମାସେବ୍ୟାପୀ ଚାଲିବ। ଚଳିତଥର ବିଜେଡିର ପଦଯାତ୍ରା ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତେ ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋରୁ ଆରମ୍ଭ ହେବ ବୋଲି ବିଧାୟିକା ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସେ କହିଛନ୍ତି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ଏହା ନଭେମ୍ବର ୯ ଯାଏଁ ମାସେ ବ୍ୟାପୀ ପ୍ରତି ୱାର୍ଡ, ବ୍ଲକ, ପଞ୍ଚାୟତ, ଜିଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ କରିବାକୁ ବିଜେଡି ସଭାପତି ନିର୍ଦେଶ ଦେଇଛନ୍ତି । ଏହି ଜନସମ୍ପର୍କ ପଦଯାତ୍ରା ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ଅବତାରଣା କରିବା ସଙ୍ଗେସଙ୍ଗେ ବର୍ତ୍ତମାନର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳତା, ମହିଳାଙ୍କୁ ପ୍ରତାରଣା ଓ ନିର୍ଯାତନା, ଆଇନଶୃଙ୍ଖଳାର ଅଧୋଗତି, ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଅଭିସନ୍ଧି, ଚାଷୀଙ୍କ ସମସ୍ୟା ପ୍ରତି ବିମୁଖତା, ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ।

 

 

Exit mobile version