Utkala Mirror I Odisha News, Latest Odia News

ବିଜେଡି ସଂଖ୍ୟାଲଘୁ ସେଲ୍ ପଦ ନେବାକୁ ମୁନ୍ନା ଖାଁ ଅମଙ୍ଗ

ବିଜେଡି ସାଂଗଠନିକ ପୁର୍ନବିନ୍ୟାସରେ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ତାଙ୍କ ଦଳର ଜଣେ ନେତା ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି। ବିଜେଡି ସଂଖ୍ୟାଲଘୁ ସେଲ୍‌ର ଦକ୍ଷିଣ ଜୋନ ସଂଯୋଜକ ପଦକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି । ରାଜ୍ୟସଭା ସାଂସଦ ମୁନ୍ନା ଦଳରେ ତାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତାଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଦଳର ନେତାମାନେ କରିଥିବା ଉଦ୍ୟମ ସଫଳ ହୋଇନାହିଁ ବୋଲି ଜଣାପଡିଛି । ମୁଖିଆଙ୍କ ଆଗରେ ଅସନ୍ତୋଷ ବ୍ୟକ୍ତ କରି ନବୀନ ନିବାସରୁ ଫେର ଆସିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଗଣମାଧ୍ୟମକୁ ମୁନ୍ନା ଖାଁ କିଛି କହିନାହାନ୍ତି । ନବୀନ ବାବୁ ମୋର ନେତା, ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ।

ଗତ ୫ ତାରିଖରେ ବିଜେଡିର ନବ କଳେବର ହୋଇଥିଲା । ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟି ସମେତ ୭୧ ଜଣିଆ ଅଫିସ କର୍ମକର୍ତ୍ତା, ୧୦ ଜଣ ବରିଷ୍ଠ ନେତାଙ୍କୁ ଛାମୁଆ ଦାୟିତ୍ୱ ଏବଂ ୫ ନେତାଙ୍କୁ ନେଇ ବିଜେଡି ସଂଖ୍ୟାଲଘୁ ସେଲ୍ ଗଠିତ ହୋଇଥିଲା । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ ସେଲ୍ ର ରାଜ୍ୟ ଆବାହକ କରାଯାଇଥିବା ବେଳେ ରାଜ୍ୟ ସହ ଆବାହକ କରାଯାଇଛି ରିଜୱାନା ବେଗମଙ୍କୁ । ବରିଷ୍ଠ ନେତା ତଥା ସାଂସଦ ମୁନ୍ନା ଖାଁ ଙ୍କୁ ଦକ୍ଷିଣ ଜୋନ୍ ର ସଂଯୋଜକ ପଦ ଦିଆଯାଇଥିଲା । ଅନ୍ୟତମ ବରିଷ୍ଠ ନେତା ଆୟୁବ ଖାଁଙ୍କୁ ପଶ୍ଚିମ ଜୋନ୍ ସଂଯୋଜକ ଏବଂ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରୀୟ ଜୋନ୍ ସଂଯୋଜକ ନିଯୁକ୍ତି କରାଯାଇଥିଲା । ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଦକ୍ଷିଣ ଜୋନ୍‌ର ସଂଯୋଜକ ପଦ ଗ୍ରହଣ କରିବାକୁ ସଫାସଫା ମନା କରିଦେଇଥିବା ଜଣାପଡିଛି । ଏନେଇ ମୁନ୍ନା ଖାଁ ଗୁରୁବାର ନବୀନ ନିବାସ ଆସିଥିଲେ। ସେ ନିଜର ଅସନ୍ତୋଷ ଜାହିର କରିବା ସହିତ ଏହି ପଦ ଗ୍ରହଣ କରିବେନି ବୋଲି ଜଣାଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଚିଠି ଲେଖିଛନ୍ତି। ନବୀନଙ୍କୁ ଲେଖିଥିବା ଚିଠିରେ ମୁନ୍ନା ଉଲ୍ଲେଖ କରିଛନ୍ତି ଯେ, ମୁଁ ୨୫ ବର୍ଷ ଧରି ବିଶ୍ବସ୍ତ କର୍ମୀ ଭାବେ ଦଳରେ କାମ କରୁଛି। କିନ୍ତୁ ମୋତେ ଦଳରେ ଉପେକ୍ଷା କରାଯାଇଛି। ଏହାଠାରୁ ଗୁରୁତ୍ବପୂର୍ଣ୍ଣ କିଛି ଅଛି କି? ଦଳ ତରଫରୁ ଦିଆଯାଇଥିବା ପଦକୁ ଅଗ୍ରାହ୍ୟ କରୁଛି। ଏହି ପଦ ଦଳ ଭିତରେ ଥିବା ସଦସ୍ୟମାନଙ୍କ ଭିତରେ ମୋର ପ୍ରତିଷ୍ଠାକୁ ହ୍ରାସ କରୁଛି। ପୋର୍ଟଫୋଲିଓ ନଥିବା ସତ୍ତ୍ବେ ଦଳ ପାଇଁ ମୋର ପ୍ରୟାସ ଜାରି ରହିବ। ସେ ଆହୁରି କହିଛନ୍ତି ଯେ, ଆମ ଦଳର ଜଣେ ସଦସ୍ୟ ବିଜେଡିକୁ ଏକ ଇଂରାଜୀ ଖବରକାଗଜରେ କଟାକ୍ଷ କରି ସ୍ତମ୍ଭ ଲେଖିଥିଲେ। ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ବରଂ ତାଙ୍କୁ ଦଳରେ ପଦୋନ୍ନତି ଦେଇ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଗଲା। ତେବେ ସଭାପତିଙ୍କୁ ତାଙ୍କ ଚିଠି  ପ୍ରଶ୍ନରେ ଗଣମାଧ୍ୟମକୁ ମୁନ୍ନା କହିଥିଲେ, ମୁଁ ମୋ ନେତା ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଆସିଥିଲି। ଦେଖା କରି ଯାଉଛି। ସଂଖ୍ୟାଲଘୁ ସେଲ୍‌ ପଦ ଛାଡ଼ିବା ପ୍ରସଙ୍ଗରେ ସେ ମୁହଁ ଖୋଲିନାହାନ୍ତି । ଅନ୍ୟପକ୍ଷରେ ବିଜେଡି ବରିଷ୍ଠ ନେତା ମହେଶ ସାହୁ କହିଛନ୍ତି ଯେ, ସମସ୍ତେ କ’ଣ ପଦବୀ ପାଇବେ। ଯେଉଁମାନେ ବ୍ଲକ୍‌ ଯାଇପାରୁନାହାନ୍ତି, ସେମାନେ ନିଜକୁ କେମିତି ବରିଷ୍ଠ କହୁଛନ୍ତି।

ସୂଚନାଯୋଗ୍ୟ ଯେ, ୱକଫ୍ ବିଲ୍ କୁ ରାଜ୍ୟସଭାରେ ବିରୋଧ କରି ଚର୍ଚ୍ଚାରେ ଥିଲେ ମୁନ୍ନା ଖାଁ । ଶେଷ ମୁହୂର୍ତ୍ତରେ ବିଜେଡି ଆଭିମୁଖ୍ୟ ବଦଳାଇଥିବା ବେଳେ ମୁନ୍ନା ଖାଁ କିନ୍ତୁ ନବୀନ ପଟ୍ଟନାୟକଙ୍କ ପ୍ରଥମ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ । ଏହାକୁ ନେଇ ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ମୁନ୍ନା ଖାଁ ଦିଲ୍ଲୀରୁ ଫେରିଲା ଦିନ ବିମାନବନ୍ଦରରୁ ସମର୍ଥକମାନଙ୍କ ଗହଣରେ ପ୍ରଥମେ ନବୀନ ନିବାସ ଯାଇଥିଲେ । ସେଠାରେ ନବୀନଙ୍କୁ ଭେଟି ଫେରିଲା ବେଳେ ସମର୍ଥକମାନେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଥିଲେ । ନବୀନ ନିବାସରେ ପାଣ୍ଡିଆନଙ୍କ ବିରୋଧରେ ନାରା ଶୁଭିବା ସେଦିନ ପ୍ରଥମ ଘଟଣା ଥିଲା ।

Exit mobile version