Utkala Mirror I Odisha News, Latest Odia News

ବିଜେଡିର ରାଜନୈତିକ ବ୍ୟାପାର

ନବୀନ ନିବାସରେ ଆଜି ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଅନୁଷ୍ଠିତ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ନୂଆପଡ଼ା ଉପ-ନିର୍ବାଚନରେ ଦଳର ପରାଜୟର କାରଣ ପଚାରିବା ସହିତ ଅଧିକ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନୂଆପଡ଼ାରେ ୬୩ଟି ବୁଥରେ ବିଜେଡି ଭୋଟକୁ ବିଜେପି ଜବରଦଖଲ କରି ନେଇଥିବା ଗୁରୁତର ଅଭିଯୋଗ ଉଠିଛି। ଏହାକୁ ନେଇ ବୁଥ୍ୱାରି ତର୍ଜମା କରାଯିବ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି ଦଳ ନିଷ୍ପତ୍ତି ନେଇଛି। ଶନିବାର ନବୀନ ନିବାସରେ ବସିଥିବା ଏହି ବୈଠକରେ ବରିଷ୍ଠ ଉପ ସଭାପତି ଦେବୀ ମିଶ୍ରଙ୍କ ସମେତ ବିଜେଡି ବରିଷ୍ଠ ବିଧାୟିକା ତଥା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ନିରଞ୍ଜନ ପୁଜାରୀ, ସୁଦାମ ମାର୍ଣ୍ଡି, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ସନ୍ତୃପ୍ତ ମିଶ୍ର, ଟୁକୁନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଏହି ବୈଠକ ଜାରି ରହିଥିଲା । ମିଳିଥିବା ସୂଚନା ଅନୁସାରେ, ନୂଆପଡା ପରାଜୟ ପରେ ନିରୁତ୍ସାହିତ କର୍ମୀଙ୍କୁ ଆଶ୍ବାସନା ଦେବା ପାଇଁ ନେତାଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ସରକାର ବିରୋଧୀ ସ୍ବରକୁ ଅଧିକରୁ ଅଧିକ ଶାଣିତ କରିବାକୁ ନବୀନ ପରାମର୍ଶ ଦୋଇଥିବା ବେଳେ । ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଜନସ୍ବାର୍ଥ ପାଇଁ ଲଢେଇ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଏହି ଆଭିମୂଖ୍ୟକୁ କର୍ମୀଙ୍କ ନିକଟରେ ସ୍ପଷ୍ଟ ଭାବେ ରଖିବା ପାଇଁ ସଭାପତି ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବୈଠକ ପରେ ପିଏସି ସଦସ୍ୟା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ‘୬୩ ବୁଥ୍ରେ ବିଜେଡି ଭୋଟକୁ ବିଜେପି ଜବରଦସ୍ତି ନେଇଛନ୍ତି। ଆମକୁ ଭୋଟର ଭୋଟ ଦେଲା ପରେ ସେ ଭୋଟ କୁଆଡେ ଗଲା। ତାକୁ ଦଳ ଅନୁଧ୍ୟାନ କରିବ। ନବୀନ ବାବୁ ଆଜି ପିଏସି ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ତର୍ଜମା ପରେ ନିର୍ବାଚନ କମିଶନଙ୍କ ପାଖକୁ ଯିବୁ। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ବୁଥ୍ୱାରି ତର୍ଜମା କରାଯିବ। ଅର୍ଥବଳ, ବାହୁବଳ ପ୍ରୟୋଗ କରି ବିଜେପି ଭୋଟ ନେଇଛି । ଏହିଭଳି କାର୍ଯ୍ୟରେ ଲିପ୍ତ ଲୋକଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ସେ ଆହୁରି କହିଛନ୍ତି ଯେ ଆଗାମୀ ବିଧାନସଭା ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ, ସେ ନେଇ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଶ୍ରୀମତି ମଲ୍ଲିକ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଯୁବ, ଛାତ୍ର, ମହିଳା ଆଦି ସଂଗଠନକୁ ଆହୁରି ମଜବୁତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲା କମିଟିଗୁଡିକୁ ଏବଂ ଫ୍ରଣ୍ଟାଲ ୱିଙ୍ଗଗୁଡିକୁ ସୁଦୃଢ କରାଯିବ । ସବୁ ସଂଗଠନକୁ ମଜବୁତ କରାଯାଇ ଲୋକଙ୍କ ସ୍ବାର୍ଥ ଲାଗି ବିଜେଡି ଲଢେଇ କରିବ ବୋଲି ପ୍ରମିଳା କହିଛନ୍ତି । ଗତ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଳକିଆ ୧,୨୩,୮୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାଷିରାମ ମାଝୀ ୪୦,୧୨୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ବିଜେପି ୮୩,୭୪୮ ଭୋଟର ବ୍ୟବଧାନରେ ବିଜୟୀ ହୋଇଛି। ଏହି ପରାଜୟକୁ ଦଳ ଇଭିଏମ୍ ଟାମ୍ପରିଂ ଓ ଜୋରଜବରଦସ୍ତ ବିଜେପି ବିଜେଡିର ଭୋଟ କରାଇଦେଇନାହିଁ ବୋଲି ଦଳର ବରିଷ୍ଠ ନେତ୍ରୀ ଅଭିଯୋଗ ଆଣିଛନ୍ତି ।

Exit mobile version