ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିବା ପରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଶିବିର ଚଳଚଞ୍ଚଳ ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗୁରୁବାର ବିଧାନସଭା ଯାଇ ୬ ସେଟ୍ ଫର୍ମ କିଣିଥିବାବେଳେ ସନ୍ଧ୍ୟାରେ ନବୀନ ନିବାସରେ ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ନବୀନ ନେବେ। ଏଥିପାଇଁ ପିଏସି ତାଙ୍କୁ ପ୍ରାଧିକୃତ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ସାଙ୍ଗଠନିକ କାର୍ଯ୍ୟକ୍ରମ, ଦଳର ଆଗାମୀ ରଣନୀତି ବିଷୟରେ ଚର୍ଚ୍ଚା କରାଯାଇଥିଲା। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଜେପି ସରକାରର ବିଫଳତାକୁ ବିଜେଡି ପ୍ରସଙ୍ଗ କରିବାକୁ ବୈଠକର ଆଲୋଚନା ବେଳେ ନେତାମାନେ ଦୋହରାଇଥିଲେ । ପ୍ରତିମାସରେ ସରକାରର ବିଫଳତା ନେଇ ଗୋଟିଏ ଲେଖାଏଁ ପ୍ରସଙ୍ଗରେ ବିଜେଡି ଲୋକଙ୍କ ପାଖକୁ ଯିବ । ଏଥିସହ ଛାମୁଆ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କିଏ ରାଜ୍ୟସଭା ଯିବେ, କାହାକୁ ପ୍ରାର୍ଥୀ କରାଯିବ ସମସ୍ତ ନିଷ୍ପତ୍ତି ବିଜେଡି ସଭାପତି ନେବେ। ସେ ଯାହା ନିଷ୍ପତ୍ତି ନେବେ, ସମସ୍ତେ ମାନିବେ। ଅନ୍ୟପକ୍ଷରେ ସରକାର ଚାଷୀ ସମସ୍ୟା ସମାଧାନ କରୁନାହାନ୍ତି । ଏ ପ୍ରସଙ୍ଗକୁ ନେଇ ଆମେ ଆନ୍ଦୋଳନ କରିଛୁ । ଆଗକୁ କେଉଁ ପ୍ରସଙ୍ଗକୁ ନିଆଯିବ, ସେ ବିଷୟରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ପ୍ରମିଳାଙ୍କ ସମେତ ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଡ. ସସ୍ମିତ ପାତ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଉପସ୍ଥିତ ଥିବାବେଳେ ଟୁକୁନି ସାହୁ ଅନୁପସ୍ଥିତ ଥିଲେ ।
