Utkala Mirror I Odisha News, Latest Odia News

ବିଜେଡିରେ ଉତ୍ତରାଧିକାରୀ ଚର୍ଚ୍ଚା

ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅବସରପ୍ରାପ୍ତ ଆଇଏଏସ୍‌ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଏବଂ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଧିକାରୀ କରିବାକୁ ବିଜେଡିର କିଛି ନେତା ପ୍ରସ୍ତାବ ଦେଇଥିବା କୁହାଯାଉଛି। ତେବେ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ବିଜେଡିର ଉତ୍ତରାଧିକାରୀ ଚର୍ଚ୍ଚାକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଅସ୍ବୀକାର କରିନାହାନ୍ତି। ସଭାପତି ଯେତେବେଳେ ଘୋଷଣା କରିବେ, ସେ ସମ୍ପର୍କରେ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସୂଚନା ଅନୁଯାୟୀ, ନୂଆପଡ଼ା ଉପନିର୍ବାଚନ ଫଳାଫଳ ଦଳୀୟ ନେତାଙ୍କୁ ଚକିତ କରିଛି। ଦୁଇଥର ନବୀନ ପ୍ରଚାର କରିଥିବାବେଳେ ଦଳ ସେଠାରେ ତୃତୀୟ ସ୍ଥାନକୁ ଖସିଗଲା। ସ୍ବାସ୍ଥ୍ୟଗତ କାରଣ ସତ୍ତ୍ବେ ନବୀନଙ୍କୁ କାହିଁକି ପ୍ରଚାରକୁ ନିଆଗଲା ବୋଲି ବରିଷ୍ଠ ନେତା ପ୍ରଶ୍ନ କରୁଛନ୍ତି। ନୂଆପଡ଼ାରେ ଦଳର ସମ୍ମାନ ବାଜିରେ ଲାଗିଥିବାବେଳେ ତୁଙ୍ଗନେତାଙ୍କ ରଣନୀତି କାମ ଦେଲାନି। ଏପରିକି ଦଳ କଂଗ୍ରେସଠାରୁ ମଧ୍ୟ କମ୍‌ ଭୋଟ୍‌ ପାଇଲା। ତେଣୁ ଏବେ ନୂଆ ରୂପରେ ସଙ୍ଗଠନକୁ ଆଗକୁ ନେବା ପାଇଁ ଦଳ ଭିତରେ ମାନସମନ୍ଥନ ଆରମ୍ଭ ହୋଇଛି। ବିଜେଡି ବିରୋଧୀ ଆସନରେ ଥିବାରୁ ଆଗକୁ ଲମ୍ବା ଲଢ଼େଇ ରହିଛି। ସେ ଦୃଷ୍ଟିରୁ ନବୀନ ଦଳର ପରିଚାଳନା ଭାର ଅନ୍ୟ ହାତରେ ଦେଇ ନିଜେ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ୍ ବୋଲି ବହୁ ଦଳୀୟ ନେତା ଭିତିରିଆ ମତ ଦେଉଛନ୍ତି। ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ଯଦି ସେମିତି କରିବାର ଅଛି, ସଭାପତି ଯେତେବେଳେ ଘୋଷଣା କରିବେ ଜଣାପଡ଼ିବ। ଯଦି ଦଳରେ ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି, ସମସ୍ତେ ଜାଣିପାରିବେ। କିନ୍ତୁ ତା’ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବ ନାହିଁ। ଶ୍ରୀ ମିଶ୍ର ଉତ୍ତରାଧିକାର ପ୍ରସଙ୍ଗକୁ ଅସ୍ବୀକାର କରିନଥିବାରୁ ଏହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବିଜେଡିର ନେତୃତ୍ବକୁ ନେଇ ହେଉଥିବା ଏଭଳି ଚର୍ଚ୍ଚା, ଆଲୋଚନା ଆଗକୁ ସତ ହେଉଛି କି ନାହିଁ, ତାହା ଦେଖିବାକୁ ବାକି।

 

 

Exit mobile version