Utkala Mirror I Odisha News, Latest Odia News

ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସସପେନ୍ସ 

ନବୀନଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସନା ମହାକୁଡ଼ଙ୍କ ଦଳବିରୋଧୀ କାର୍ଯ୍ୟ ଜଣାପଡୁଥିଲେ ମଧ୍ୟ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିର୍ଦ୍ଦିଷ୍ଟ ଭାବେ ତାଙ୍କର ଦଳବିରୋଧୀ କାର୍ଯ୍ୟ ସ୍ପଷ୍ଟ ହୋଇନାହିଁ । ପାଟକୁରାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ସେ ବିଧାୟକ ହୋଇଛନ୍ତି । ଗୋଟିଏ ସମୟରେ ନବୀନଙ୍କର ପରମ ମିତ୍ର ଏବେ ଶତ୍ରୁ  ବିଜୟ ମହାପାତ୍ରଙ୍କର ସେ ପୁଅ ହୋଇଥିଲେ ମଧ୍ୟ ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇଥିଲା । ନବୀନଙ୍କ ଆଶୀର୍ବାଦ ପାଇଁ ନବୀନ ନିବାସ ଯାଇଥିବା ଅରବିନ୍ଦଙ୍କୁ ନବୀନ ବହୁତ ଆଦର କରିଥିଲେ । ବାପା(ବିଜୟ ମହାପାତ୍ର)ଙ୍କ ବିଷୟରେ ପଚାରିଥିଲେ ।
ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଅରବିନ୍ଦଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର । ବୁଲେଇ ବଙ୍କେଇ ତୀର ମାରିବାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଧାନସଭାରେ ସେ ବିଭିନ୍ନ ସମୟରେ ବର୍ତ୍ତମାନର ସରକାରଙ୍କୁ ଘେରିବା ସହ ବିଜେଡି ସରକାରକୁ ପ୍ରଶଂସା କରୁଥିଲେ। ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅନେକଙ୍କୁ ଆଚମ୍ବିତ କରିଛି। ତାଙ୍କ ବାପାଙ୍କ ରାଜନୈତିକ କାର୍ଯ୍ୟକଳାପ ଓ ବିଭିନ୍ନ ଦଳର ନେତାଙ୍କ ସହ ସମ୍ପର୍କ ପାଇଁ ଅରବିନ୍ଦଙ୍କୁ ବିଜେଡି ନିଲମ୍ବନ କଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ହେଲେ ବିଜେଡିର ଯୁକ୍ତି ହେଉଛି- ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କ ପାଇଁ ଦଳରେ ସ୍ଥାନ ନାହିଁ।
କେନ୍ଦୁଝର ରାଜନୀତିରେ ସନାତନ ମହାକୁଡ଼ ଜଣେ ଚର୍ଚ୍ଚିତ ନେତା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଚମ୍ପୁଆର ସ୍ବାଧୀନ ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ସେ ନିର୍ବାଚନ ନ ଲଢ଼ି ବିଜେଡିକୁ ସମର୍ଥନ କରିଥିଲେ। ୨୦୨୪ରେ ବିଜେଡି ଟିକଟରେ ସେ ଚମ୍ପୁଆରୁ ଜିତିଥିଲେ। ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଓ ବିଜେପି ସରକାର ଗଠନ ହେବା ଦିନଠୁ ସନାତନଙ୍କ କାର୍ଯ୍ୟକଳାପକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। କାରଣ ସେ ବିଜେଡିର ବିଧାୟକ ଦଳ ବୈଠକକୁ ଆସୁନଥିଲେ। ଏପରିକି ଦଳୀୟ ମାର୍ଗଦର୍ଶିକାକୁ ସେ ମାନୁନଥିଲେ। ଗତବର୍ଷ ଫେବୃଆରୀ ମାସରେ ବିଧାନସଭା ଅଧିବେଶନ ସମୟରେ ସନାତନଙ୍କୁ ନିଜେ ନବୀନ ଏଥିପାଇଁ ତାଗିଦ କରିଥିଲେ। କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲ ବୋଲି ନବୀନ ତାଙ୍କୁ ପଚାରିଥିଲେ। ଅସୁସ୍ଥ ଥିବାରୁ ବୈଠକକୁ ଆସିପାରିନଥିବା ସନାତନ କହିବା ପରେ ନବୀନ ରାଗିଯାଇଥିଲେ । ହେଲେ ଦଳ ସେ ସମୟରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ ବି ସନାତନଙ୍କ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ତାଙ୍କ ଆଚରଣ ଓ ଉଚ୍ଚାରଣ ଶାସକ ଦଳ ଓ ସରକାର ସପକ୍ଷେ୍ର ଥିଲା। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋ ଥିବା ବିଜ୍ଞାପନ ଖବରକାଗଜରେ ପ୍ରକାଶ କରି ପୁଣି ସନାତନ ଚର୍ଚ୍ଚାକୁ ଆସିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିକଟରେ ସନାତନ ବିଜେଡିର ୨୪ ବର୍ଷ ଶାସନକୁ ତାଚ୍ଛଲ୍ୟ କରିଥିଲେ। ୨୪ ବର୍ଷ ସରକାରରେ ବିଜେଡି କେନ୍ଦୁଝରକୁ ଅବହେଳା କରିଛି ବୋଲି ସନାତନ କହିଥିଲେ। ସନାତନଙ୍କ ଏପରି ବୟାନକୁ ବିଜେଡି ସହଜରେ ହଜମ କରିପାରିନି। ଯେଉଁଥିପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଆଲୋଚନା ହେଉଛି।

ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କୁ ନବୀନ କଦାପି ସହ୍ୟ କରନ୍ତି ନାହିଁ : ବିଜେଡି 

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ବିଧାୟକଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳୀୟ ନିର୍ଦେଶନାମା ଜାରି ହୋଇଛି। ଏହାର ନକଲ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଦଳ ପକ୍ଷରୁ ପ୍ରେରଣ କରାଯାଇଛି। ତେବେ ନିର୍ଦିଷ୍ଟ ଭାବେ କେଉଁ ଦଳ ବିରୋଧୀ କାରଣ ପାଇଁ ଉଭୟ ବିଧାୟକଙ୍କୁ ନିଲମ୍ବନ କରାଗଲା, ସେ ସମ୍ପର୍କରେ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

     ନିଲମ୍ବନ ଆଦେଶ ପରେ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକକୋଟିରୁ ଊର୍ଦ୍ଧ୍ବ ଉତ୍ସର୍ଗୀକୃତ ସଦସ୍ୟଙ୍କ ସହ ବିଜେଡି ଏକ ସଫଳ ଆଞ୍ଚଳିକ ଦଳ। ଦଳୀୟ ସଦସ୍ୟମାନେ ଦଳର ସମ୍ବିଧାନ ଏବଂ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ଅନୁପାଳନ କରିବା ଆବଶ୍ୟକ। ଏହାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ସର୍ବଦା କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଶ୍ରୀ ପଟ୍ଟନାୟକ କଦାପି ଦୁର୍ନୀତିଗ୍ରସ୍ତ, ବିଶ୍ବାସଘାତକଙ୍କୁ ସହ୍ୟ କରନ୍ତି ନାହିଁ। ବିଧାୟକ ଶ୍ରୀ ମହାପାତ୍ର ଏବଂ ଶ୍ରୀ ମହାକୁଡ଼ ଦଳୀୟ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଛନ୍ତି। ଏହା ଉପରେ ସତର୍କତାର ସହ ବିଚାର କରିବା ପରେ ଉଭୟଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସଭାପତିଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ଦଳୀୟ କର୍ମୀ ସ୍ବାଗତ କରିଛନ୍ତି।

କୌଣସି ଦଳବିରୋଧୀ କାମ କରିନାହିଁ : ଅରବିନ୍ଦ

ନିଲମ୍ବିତ ହେବା ପରେ ସନାତନଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଅରବିନ୍ଦ କହିଛନ୍ତି, ତାଙ୍କୁ କାହିଁକି ନିଲମ୍ବନ କରାଗଲା, ସେ ଜାଣିନାହାନ୍ତି । ସେ କୌଣସି ଦଳବିରୋଧୀ କାମ କରିନାହାନ୍ତି । ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ କରିନାହାନ୍ତି । ଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି । ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ସେ କୌଣସି ମେଳିକୁ ଯାଇନି କି ଭୋଜିକୁ ଯାଇନାହାନ୍ତି ।  ୫-ଟି ବିରୋଧୀ ମନ୍ତବ୍ୟ ତାଙ୍କ ପାଇଁ ଭାରି ପଡ଼ିଲା କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ସେଭଳି କିଛି କହିନି। କାହା ବିରୋଧରେ କହିନି। ସରକାରୀ ଦଳର ବିଧାୟକମାନେ କହୁଛନ୍ତି ଯେ ସେ ଦୁର୍ନୀତି କରିଛନ୍ତି। ମୁଁ କହିଥିଲି ଯେ ଏହାକୁ ନେଇ ବାରମ୍ବାର ବିଧାନସଭାର ସମୟ ନଷ୍ଟ କରିବାର ଆବଶ୍ୟକତା ନାହିଁ। ଆପଣମାନେ ତଦନ୍ତ କରନ୍ତୁ। ଦୋଷ କରିଥିଲେ ସେ ଦଣ୍ଡ ପାଇବେ ଓ ଦୋଷ କରି ନଥିଲେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ।”
 ଅରବିନ୍ଦଙ୍କ ନିଲମ୍ବନକୁ ନେଇ ବାପା ବିଜୟ କହିଛନ୍ତି, ମୁଁ ହତବାକ୍। ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହେଲି। କାହିଁକି ଏଭଳି ହେଲା ମୁଁ କିଛି ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ନାହିଁ, ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାମ କରୁଛି।

ବିଧାନସଭାର ଆଉ ଦୁଇଟି ଆସନ ବିଜେଡିରୁ କଟିଲା

ବିଧାନସଭାରେ ବିଜେଡିର ସଦସ୍ୟଙ୍କ ସଂଖ୍ୟା ୫୦ ଥିବାବେଳେ ଏହି ଦୁଇ ବିଧାୟକଙ୍କୁ ଦଳ ନିଲମ୍ବିତ କରିଛି। ଆଗକୁ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି। ସଂଖ୍ୟାଦୃଷ୍ଟିରୁ ବିଜେପି ୨ ଓ ବିଜେଡି ୧ଟି ଆସନ ସହଜରେ ହାସଲ କରିବେ। ଚତୁର୍ଥ ଆସନକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଗକୁ ସଂଖ୍ୟା ଗଣିତ କ’ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ : ଗଣେଶ୍ବର 

ବିଜେଡିରୁ ସନାତନ ମହାକୁହ ଓ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ବିଜେଡିର ବରିଷ୍ଠ ନେତାମାନେ ପ୍ରତିକ୍ରିୟା ରଖି । ବହୁତ ଭାବିଚିନ୍ତି ତଥା ସମସ୍ତ ତଥ୍ୟ ସଂଗ୍ରହ କରି ଦଳର ନେତା ନିଷ୍ପତ୍ତି ନିଅନ୍ତି। ଯଦି ସେ ଏ ନିଷ୍ପତ୍ତି ନେଇଛନ୍ତି, ତା’ମାନେ ସେମାନେ ନିଶ୍ଚିତ ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରିଛନ୍ତି। ସେଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳର ନେତାମାନେ କହିଛନ୍ତି । ସେହିପରି ଗୁଇନ୍ଦା ରିପୋର୍ଟ ଆଧାରରେ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଥିବା ଦଳର ବରିଷ୍ଠ ନେତା ଗଣେଶ୍ବର ବେହେରା କହିଛନ୍ତି ।

Exit mobile version