ଜଗନ୍ନାଥ ପ୍ରଧାନଙ୍କୁ ଡାକି ସଭାପତିଙ୍କ ଆଲୋଚନା, କେହି ଆଲୋଚନା ସମ୍ପର୍କରେ ସ୍ପଷ୍ଟ କଲେନି

ବିଜେପି ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳ ସଭାପତି ମନମୋହନ ସାମଲଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ସଭାପତି ଦଳର ଆଭ୍ୟନ୍ତରୀଣ କଥା ଆଲୋଚନା ହୋଇଛି ବୋଲି କହିଛନ୍ତି । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଡକାଯାଇଥିଲା । ଆମେ କଥା ହୋଇଛୁ । ସେଭଳି କୌଣସି ନିଷ୍ପତ୍ତି ନେବା ନେଇ ବୈଠକ ବସିନଥିଲା । ସମସ୍ତଙ୍କ ସହ ଆଲୋଚନା ହୋଇଛି ବୋଲି ରାଜ୍ୟ ସଭାପତି କହିଛନ୍ତି ।
ମନମୋହନ ସାମଲ କହିଛନ୍ତି ଯେ, ଦଳର ଆଭ୍ୟନ୍ତରୀଣ କଥା ଆଲୋଚନା ହୋଇଛି । ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମରେ ପ୍ରକାଶ କରାଯାଇପାରିବ ନାହିଁ । ଓଏଏସ ସଂଘର ପ୍ରତିବାଦ ପ୍ରସଙ୍ଗରେ ସରକାର ନିର୍ଦ୍ଦିଷ୍ଟ ଭାବେ ବୁଝୁଛନ୍ତି ।  ଉଚିତ ପଦକ୍ଷେପ ନେବେ । ଅଧିକାରୀଙ୍କୁ ମାଡ ଘଟଣାକୁ ବାରମ୍ବାର ସମସ୍ତେ ନିନ୍ଦା କରିଛନ୍ତି । ଦଳ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି । ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ସେନେଇ ଅଧିକ ଆଲୋଚନା କରାଯିବା ଉଚିତ ନୁହେଁ ।
    ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି। ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି ରାତିରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନାହାନ୍ତି।
ବିଧାୟକ ବାବୁ ସିଂ କହିଛନ୍ତି ଯେ, ଜଗା ଭାଇଙ୍କୁ ସଭାପତି ଡାକିଥିଲେ । ସେମାନଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି । ଜଗା ଭାଇ କହିଛନ୍ତି, ଆମେ ଆଇନକୁ ସମ୍ମାନ ଦେବୁ । ଦଳମତ ନିର୍ବିଶେଷରେ ସମସ୍ତେ ଆଇନକୁ ସମ୍ମାନ ଦେବା ଉଚିତ । ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି । ଯେଉଁମାନେ ଆଇନ ଭଙ୍ଗ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ବିରୋଧୀ କିମ୍ବା ଅଫିସରମାନେ କଣ କହୁଛନ୍ତି ତାହା ମୁଁ ଜାଣିନାହିଁ । ରାଜ୍ୟ କାର୍ଯ୍ୟଳୟରେ ସଭାପତି ଓ ଜଗାଭାଇଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆମେ ଅଲଗା ବସିଥିଲୁ ବୋଲି ବିଜେପି ବିଧାୟକ କହିଛନ୍ତି ।