Utkala Mirror I Odisha News, Latest Odia News

ରାଜ୍ୟସଭା ହଟଚମଟ

ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ବିଜେପି ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି । ଦଳ ୩ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ରାଜ୍ୟସଭା ନିର୍ବାଚନକୁ ନେଇ ଦଳର ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ଅପରାହ୍ଣ ପ୍ରାୟ ୨ ଟାରୁ ୩ ଘଣ୍ଟା ଧରି ବିଧାୟକମାନଙ୍କ ସହ ଆଲୋଚନା ହୋଇଛି । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଦଳର ବିଧାୟକମାନେ ଉପସ୍ଥିତ ଥିଲେ।  ଭୋଟିଂ ସମୟରେ କିଭଳି ଜଣେ ହେଲେ ବି ବିଧାୟକ ଅନୁପସ୍ଥିତ ନ ରହିବେ ସେନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ବିଜେପି ତୃତୀୟ ପ୍ରାର୍ଥୀ ମଧ୍ୟ ବିଜୟ କରିବା ଲକ୍ଷ୍ୟ ରଖିଛି, ଭୋଟିଂ ପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଧାୟକଙ୍କୁ କୁହାଯାଇଛି ।
ବୈଠକ ପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଆଜି ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି। ୩ ଜଣ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ(ପ୍ରସ୍ତାବକ) ନିଆଯାଇଛି । ୫ ତାରିଖରେ ଦଳର ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ୫ତାରିଖରେ ଦଳର ସବୁ ବିଧାୟକ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଗତ ୨୨ ତାରିଖ ରବିବାର ଦିନ ରାଜ୍ୟ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ କିଛି ନେତାଙ୍କ ନାଁ ପ୍ରସ୍ତାବ ଆକାରରେ ସଂସଦୀୟ ବୋର୍ଡକୁ ଅନୁମୋଦନ କରାଯାଇ ପଠାଯାଇଥିଲା । ଦୁଇଦିନ ଭିତରେ ସଂସଦୀୟ ବୋର୍ଡ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ପ୍ରଭାରୀ ବିଜୟ ସିଂ ତୋମାର ଗୁରୁବାର ଦିନ ଗଣମାଧ୍ୟମକୁ କହିଥିଲେ । ତେବେ ପଠାଯାଇଥିବା ନେତାଙ୍କ ନାଁ ମଧ୍ୟରେ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରହିଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।  ମନମୋହନଙ୍କ ନେତୃତ୍ବରେ ଦଳ ୨୪ ନିର୍ବାଚନ ଲଢି ସରକାରକୁ ଆସିଥିଲା। ଏଥିଯୋଗୁଁ ତାଙ୍କୁ ପୁରସ୍କାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି।  ସେହିପରି ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ସହ ସୁନ୍ଦରଗଡ଼ ପାନପୋଷ ସାଂଗଠାନିକ ଜିଲ୍ଲା ସଭାପତି ପୂର୍ଣିମା କେରକେଟାଙ୍କ ନାଁ ଚର୍ଚ୍ଚାରେ ରହିଛି । ସେ ବିଜେପିର ଜଣେ ଟାଣୁଆ ମହିଳା ନେତ୍ରୀ । ଗତ ୨୦୦୪ ନିର୍ବାଚନରେ ସେ ବିଜେପି ଟିକେଟରେ ରଘୁନାଥ ପଲ୍ଲୀ ବିଧାୟକ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଫେବୃୟାରୀ ମାସ ୨୦୨୫ ମସିହାରୁ ସେ ପାନପୋଷ ସାଂଗଠାନିକ ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି।
ସେହିଭଳି ଦିଲୀପ ରାୟ ଏବଂ ଆଉ ଜଣେ ନାରୀ ନେତ୍ରୀ କେନ୍ଦୁଝରର ସୁକେସି ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ଦଳ ପାଖରେ ଫାଷ୍ଟ ପ୍ରିଫ୍ରେନିସିଆଲ ଭୋଟ ଭାବେ ତୃତୀୟ ପ୍ରାର୍ଥୀ ପାଇଁ ୨୨ଟି ଭୋଟ ଥିବା ବେଳେ ବାକି ଦରକାର ୮ ଖଣ୍ଡ ଭୋଟ। ଏଥିପାଇଁ ବିଜେଡି ଏବଂ କଂଗ୍ରେସରୁ କ୍ରସ ଭୋଟିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Exit mobile version