ସାଂସଦଙ୍କ ଦିଲ୍ଲୀ ଘରେ ବିଜେପିର ରୁଦ୍ଧଦ୍ବାର ବୈଠକ, କଣ ହେଲା ଆଲୋଚନା

ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଓଡ଼ିଶା ବିଜେପି ସାଂସଦମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ରଣନୀତି ନିର୍ଧାରଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମାଝି ଏନଡିଏର ବିଜୟ ନିଶ୍ଚିତ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ପ୍ରତିକ୍ରିୟାରେ ସେ କହିଛନ୍ତି, “ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏନଡିଏ ସଂଖ୍ୟା ଅଧିକ ରହିଛି। ଯାହାର ସଂଖ୍ୟା ଅଧିକ ସେ ଜିତିବ। ତେଣୁ ଆମେ ସୁନିଶ୍ଚିତ ଯେ ବିଜୟୀ ହେବୁ। ଆମର ଜିତାପଟ ହେବ । ଓଡିଶାର ସମସ୍ତ ସାଂସଦ ଦିଲ୍ଲୀରେ ଅଛନ୍ତି, ତେଣୁ ସେମାନଙ୍କ ସହ ଏକାଠି ଆଲୋଚନା କରିଛି । ସାଂସଦମାନଙ୍କୁ ଏକାଠି କରି ଭେଟିବାର ସୁଯୋଗ ଥିଲା, ତାଙ୍କୁ ଭେଟିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଏବଂ ବିଶେଷ କରି ଆଗାମୀ ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ବସିବ । ଏହା ପୂର୍ବରୁ ରାଜ୍ୟର କେଉଁ କେଉଁ ପ୍ରସଙ୍ଗରେ ସରକାର କଣ କଣ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ସେନେଇ ସାଂସଦମାନଙ୍କ ସହ ଆଲୋଚନା ହୋଇଛି । ସାଂସଦମାନେ ନିଜ ନିଜ ସ୍ଥାନୀୟ ସମସ୍ୟ ସମ୍ପର୍କିତ ତଥ୍ୟ ଆମ ଆଗରେ ଉପସ୍ଥାପନ କରିଛନ୍ତି । ସାଂସଦମାନଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ଏଥିଲାଗି, ସେମାନଙ୍କ ସଂସଦୀୟ କ୍ଷେତ୍ର ଠାରୁ ଆରମ୍ଭ କରି ପ୍ରମୁଖ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ସୋମବାର ଦିଲ୍ଲୀରେ ସାଂସଦ ପ୍ରତାପ ଷଡଙ୍ଗୀ ଆନୁଷ୍ଠାନିକ ବାସଭବନରେ ଓଡ଼ିଶା ବିଜେପି ସାଂସଦମାନଙ୍କର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଯୋଗ ଦେଇଥିଲେ । ଓଡ଼ିଶାର ମୋଟ ୩୧ ଜଣ ସାଂସଦମାନଙ୍କ (ଲୋକସଭାରେ ୨୧ ଜଣ ଏବଂ ରାଜ୍ୟସଭାରେ ୧୦ ଜଣ) ମଧ୍ୟରୁ ବିଜେପିର ୨୩ ଜଣ ସଦସ୍ୟ ଅଛନ୍ତି ଯେଉଁମାନେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବେ। ମଙ୍ଗଳବାର ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବୈଠକରେ ପ୍ରାୟ ସମସ୍ତ ଓଡ଼ିଶା ସାଂସଦ ଉପସ୍ଥିତ ଥିଲେ । ବୈଠକର ମୁଖ୍ୟ ଫୋକସ୍ ଥିଲା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ରଣନୀତି ନିର୍ଧାରଣ। ଆଲୋଚନାରେ ଭୋଟିଂ ପ୍ରକ୍ରିୟାର ସଂଯୋଜନ, ରାଜନୈତିକ ସମ୍ପର୍କଗୁଡ଼ିକର ମୂଲ୍ୟାଙ୍କନ ଏବଂ ସାଂସଦମାନଙ୍କୁ ନିର୍ବାଚନର ପ୍ରକ୍ରିୟାଗତ ଦିଗଗୁଡ଼ିକ ବିଷୟରେ ଅବଗତ କରାଇବା ଅନ୍ତର୍ଭୁକ୍ତ ଥିଲା । ଦଳୀୟ ହ୍ୱିପ୍ ଜାରି ହେଉନଥିବାରୁ କ୍ରସ୍ ଭୋଟିଂ ଉପରେ ନଜର ରଖାଯାଇଛି । ଦୁଇ ଜଣ ପ୍ରାର୍ଥୀ ଦକ୍ଷିଣ ଭାରତୀୟ ହୋଇଥିବାରୁ କଡା ଟକ୍କରର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଦୁଇ ଦିନିଆ ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ଆନୁଷ୍ଠାନିକ ପରାମର୍ଶ କରିବେ। ଉପରାଷ୍ଟ୍ରପତି ନିର୍ବାଚନ ବ୍ୟତୀତ ସ୍ରୀ ମାଝୀ ବିଜେପିର ନେନ୍ଦ୍ରୀୟ ନେତାମାନଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର ଉପରେ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେପି ଓଡ଼ିଶାରେ ପ୍ରଥମ ସରକାର ଗଠନ କରିବାରୁ ପ୍ରାୟ ୧୫ ମାସ ବିତିଯାଇଛି, ତଥାପି ଅତି ୬ଟି ମନ୍ତ୍ରୀ ପଦବୀ ଖାଲି ପଡ଼ି ରହିଛି, ଯାହାଦ୍ୱାରା ଅନେକ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଛନ୍ତି ଏବଂ ଏହା କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଛି ବୋଲି କୁହାଯାଉଛି। ସେହିପରି କର୍ପୋରେସନ୍ ଏବଂ ବୋର୍ଡଗୁଡ଼ିକର ଅଧ୍ୟକ୍ଷମାନଙ୍କ ନିଯୁକ୍ତି ଏପର୍ଯ୍ୟନ୍ତ ହୋଇନାହିଁ । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବେ ।