Utkala Mirror I Odisha News, Latest Odia News

ସହରାଞ୍ଚଳ ନୂଆ ରୂପ ନେବ: ୫ ବର୍ଷରେ ୫୦ ହଜାର ପ୍ରକଳ୍ପ, ୬୦୦୦ କୋଟି ଖର୍ଚ୍ଚ

ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ)’ ନାମକ ଏକ ନୂଆ ଯୋଜନାକୁ ଅନୁମୋଦନ ମିଳିଛି । ଶୁକ୍ରବାର ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୪ ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସର୍ବମୋଟ ୬୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଏହାକୁ ଆରମ୍ଭ କରିବା ପାଇଁ ୧୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ମଣ୍ଡଳର ବୈଠକରେ ୫ ଟି ପ୍ରସ୍ତାବ ଉପସ୍ଥାପନ ହୋଇଥିଲା, ଯେଉଁଥିରୁ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ‘ବିକଶିତ ଓଡ଼ିଶା @ ୨୦୩୬’ ଦୃଷ୍ଟିକୋଣ ସହିତ ସହରୀ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ରାଜସ୍ୱ ଅଭିବୃଦ୍ଧି ଭିତ୍ତିଭୂମି ସୃଷ୍ଟି କରି ରାଜ୍ୟର ସମଗ୍ର ବିକାଶ ସୁନିଶ୍ଚିତ କରିବା। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମି ଯେପରିକି କଲ୍ୟାଣ ମଣ୍ଡପ, ବହୁମୁଖୀ ସଭାଗୃହ, ଟାଉନ୍ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ୍ କମ୍ପ୍ଲେକ୍ସ, ରାସ୍ତା, ବ୍ରେନ୍, ପାର୍କ, ବହୁବ୍ୟବହାରୀ ବାଣିଜ୍ୟିକ କମ୍ପ୍ଲେକ୍ସ, ଭେଣ୍ଡିଂ ଜୋନ୍, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ୍, ପାର୍କିଂ ସ୍ଥାନ ଏବଂ ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯିବ । ସେହିଭଳି ଏହି ଯୋଜନା ଅଧିନରେ ଖୋଲା ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ପଥ, ଖେଳପଡ଼ିଆ, ଖୋଲା ଜ୍ଞାନ କେନ୍ଦ୍ର, ବନୀକରଣ ପ୍ରକଳ୍ପ, ଲୋକମଣ୍ଡପ, ଭାଗବତ ଟୁଙ୍ଗି, ସାଂସ୍କୃତିକ କେନ୍ଦ୍ର ଏବଂ ଧାର୍ମିକ ସ୍ଥାନର ବିକାଶ ସହିତ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହେବ ।
ଏହାଛଡା ଏହି ପ୍ରକଳ୍ପ ଅଧିନରେ ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଓ ସୌନ୍ଦର୍ଯ୍ୟକରଣ, କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀ ଚିକିତ୍ସା କେନ୍ଦ୍ରର ବିକାଶ କରାଯିବ । ପାଞ୍ଚ ବର୍ଷର ଅବଧି ମଧ୍ୟରେ ଏହି ଯୋଜନା ମାଧ୍ୟମରେ ୫୦,୦୦୦ରୁ ଅଧିକ ଭିତିଭୂମି ପ୍ରକଳ୍ପ ସୃଷ୍ଟି କରାଯିବ, ଯାହା ସହରାଞ୍ଚଳର ଉନ୍ନତି ଆଣିବ। ଏହା ସହିତ ୫ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯିବ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ୫୦୦୦ରୁ ଅଧିକ ବନୀକରଣ ପ୍ରକଳ୍ପ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Exit mobile version