Utkala Mirror I Odisha News, Latest Odia News

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ କମିଟି ଗଢ଼ାହେଲା

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଶୃଙ୍ଖଳା ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି, ସେବା-ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ନିଯୋଗର ଅଧିକାର(ରେକର୍ଡ ଅଫ ରାଇଟସ)ର ସମୀକ୍ଷା ଏବଂ ଚୂଡ଼ାନ୍ତ ନିର୍ଦ୍ଧାରଣ କରି ସରକାରଙ୍କୁ ରିପୋର୍ଟ ଦେବେ । କମିଟିରେ ଜଷ୍ଟିସ ଚୌଧୁରୀଙ୍କ ସମେତ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ରହିଛନ୍ତି ।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ରହିଛନ୍ତି । ଏହି ଦୁଇଜଣିଆ କମିଟି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସେବା-ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ନିଯୋଗର ଅଧିକାରର ସମୀକ୍ଷା କରିବେ । ଆବଶ୍ୟକ ପଡ଼ିଲେ ସ୍ୱତ୍ତ୍ୱଲିପି ସମୀକ୍ଷା ଓ ପ୍ରସ୍ତୁତି ମାଧ୍ୟମରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଆଇନର କାର୍ଯ୍ୟକାରିତା , ସେବାୟତଙ୍କ ମଧ୍ୟରେ ସମନ୍ୱୟ ଓ ପ୍ରଶାସନିକ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ କମିଟି ନିଜର ମତାମତ ଦେବେ ବୋଲି ଆଇନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ଲିଙ୍ଗରାଜ ମନ୍ଦିରରରେ ସେବା ପ୍ରଦାନ କରୁଥିବା ବିଭିନ୍ନ ନିଯୋଗ ମଧ୍ୟରେ ମତପାର୍ଥକ୍ୟ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହୋଇ ଆସୁଛି । ଶେଷଥର ୨୦୨୫ ଜାନୁୟାରୀ ମାସରେ ମକରସଂକ୍ରାନ୍ତିବେଳେ ୩ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସହଯୋଗ, ପ୍ରଶାସନିକ ନିୟନ୍ତ୍ରଣରେ ବିଫଳତା ଓ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତାରେ ନହେବା ଯୋଗୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ଲାଗି ରହିଛି । ୨୦୨୫ ଜାନୁୟାରୀ ମାସରେ ମକର ସଂକ୍ରାନ୍ତିବେଳେ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହୋଇଥିଲା । ଏହି କାରଣରୁ ୩ଦିନ ଧରି ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିଥିଲା । ମକର ମଣ୍ଡପରେ ଠାକୁର ଉପାସ ଅବସ୍ଥାରେ ମଧ୍ୟ ରହିଥିଲେ । ଫଳରେ ଶ୍ରଦ୍ଧାଳୁମାନେ ଅଭଡ଼ା ନପାଇ ନିରାଶ ହୋଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସମାଧାନ କରାଯାଇଥିଲା, ମାତ୍ର ତାହା ପ୍ରଭାବୀ ହୋଇପାରିନାହିଁ । ମକର ସଂକ୍ରାନ୍ତିବେଳେ ମହାପ୍ରଭୁଙ୍କ ନୀତିକାନ୍ତି ୩ଦିନ ଧରି ବନ୍ଦ ରହିବାପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିବାଦ ସୃଷ୍ଟିକାରୀ ସେବାୟତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ । ଏହାସହିତ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ଓ ସ୍ୱତନ୍ତ୍ର ଲିପି ପ୍ରସ୍ତୁତି ପାଇଁ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଥିଲେ ।

Exit mobile version