ପାଣି ବୋତଲରେ ଦେଶୀ ମଦ! ଦାରୁଠେଙ୍ଗ ଜଙ୍ଗଲରେ ଚୋରା ମଦ କାରବାର

Illegal Liquor Trade in Daruthenga Jungle
  • ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗରେ ବେଆଇନ ଦେଶୀ ମଦ ଫ୍ୟାକ୍ଟ୍ରି ମିଳିଛି୤ ଏହି ଫ୍ୟାକ୍ଟ୍ରିରେ ଦେଶୀ ମଦ ପ୍ରସ୍ତୁତ ହେବା ସହ ବଟଲିଂ ହୋଇ ବିକ୍ରି ହେଉଥିଲା । ପାଣି ବୋତଲ ପ୍ୟାକିଂ ନାଁରେ ଫ୍ୟାକ୍ଟ୍ରି କରି ସେଠାରେ ଦେଶୀ ମଦକୁ ଭର୍ତ୍ତି କରୁଥିଲେ ।

ଏଭଳି ଏକ ଫ୍ୟାକ୍ଟ୍ରିକୁ ଭୁବନେଶ୍ବର ଅବକାରୀ ଥାନା ପୋଲିସ ଠାବ କରିଛି । ଏହି ମାମଲାରେ ଅବକାରୀ ଥାନା ପୋଲିସ୍‌ ୯,୫୧୦ ଲିଟର ଦେଶୀ ମଦ ଜବତ କରିଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଅବକାରୀ ଥାନା ପୋଲିସ ଗିରଫ କରିଛି।


ମିଳିଥିବା ସୂଚନା ମୂତାବକ, ଦାରୁଠେଙ୍ଗ ଜଙ୍ଗଲରେ ଦେଶୀ ମଦ ଫ୍ୟାକ୍ଟ୍ରି ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଥାନା ପୋଲିସ ଚଢାଉ କରିଥିଲା।  ଏହି ସମୟରେ ମଦ ପ୍ରସ୍ତୁତ ଚାଲିଥିବାବେଳେ କିଛି ମଦକୁ ପାଣି ବୋତଲରେ ପୁରାଯାଇଥିଲା । ଫ୍ୟାକ୍ଟ୍ରିର ମାମଲିକ ସମେତ କାମ କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ଦେଶୀ ମଦ, ୩ଟି ଚାରି ଚକିଆ ଗାଡି, ଦୁଇଟି ବାଇକ୍ ଏବଂ ଗୋଟିଏ ମେସିନ୍ ମଧ୍ୟ ଜବତ କରାଯାଇଛି । ଏନେଇ ଅବକାରୀ ଥାନା ପୋଲିସ୍‌ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଅବକାରୀ ଥାନା ଅଧିକାରୀ ନିବେଦିତା ନାୟକ କହିଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ସୁକାନ୍ତ ସାହୁ, ଭରତ ସାହୁ, ବୋମରାଜ ଓ ସୁନିଲ କୁମାର ସ୍ବାଇଁ । ଅବକାରୀ ଥାନା ପୋଲିସ୍‌ ସୂଚନା ମୂତାବକ, ଦାରୁଠେଙ୍ଗରେ ଦେଶୀ ମଦ ଫ୍ୟାକ୍ଟ୍ରି ଚାଲୁଥିବା ନେଇ ବିଶ୍ବସ୍ଥ ସୂତ୍ରରୁ ସୂଚନା ମିଳିଥିଲା । ଅବକାରୀ ଥାନା ରେଞ୍ଜ ୩ ଓ ୧ର ମିଳିତ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ସମୟରେ ୬,୯୫୦ ଲିଟର ଦେଶୀ ମଦ ସହ ଗୋଟିଏ ଟାଟା ଏସିଇ (ଓଡି-୦୫ ବିକ୍ୟୁ ୮୪୯୯), ଗୋଟିଏ ମହିନ୍ଦ୍ରା ସ୍କର୍ପିଓ (ଓଡି-୦୫ ଏକେ ୩୮୫୦), ଗୋଟିଏ ମାରୁତି ୱାଗେନର (ଓଡି-୦୨ ଜେ ୨୩୭୪) ସହ ଗୋଟିଏ ଟିଭିଏସ୍‌ ଆପାଚେ ବାଇକ୍‌ (ଓଡି-୦୫ ଏକ୍ସ ୦୮୯୨)କୁ ଟିମ୍‌ ଜବତ କରିଥିଲା ।

ଏହାସହ ଫ୍ୟାକ୍ଟ୍ରିରେ ଲାଗିଥିବା ସିଲିଂ ମେସିନ୍‌ ସହ ୭୦୦୦ ଖାଲି ପାଉଚ୍‌ ଏବଂ ୨୮ହଜାର ଖାଲି ପାଣି ବୋତଲ ଜବତ କରିଥିଲା । ସେହିପରି ଅନ୍ୟ ଏକ ମାମଲାରେ ଭୁବନେଶ୍ବର ରେଳବାଇ ପୋଲିସ୍‌ ଓ ଭୁବନେଶ୍ବର ଅବକାରୀ ଥାନାର ମୋବାଇଲ୍‌ ସ୍କ୍ବାଡ ବେଆଇନ୍‌ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୫୦ କଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବିହାର ଭୋଜପୁର ଜିଲ୍ଲାର ପ୍ରଭାତ କୁମାର ଶର୍ମା ଓ ନୀତିଶ କୁମାର ବୋଲି ଅବକାରୀ ଥାନା ପୋଲିସ୍‌ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *