ମହାରାଷ୍ଟ୍ର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ୍ ଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବୋର୍ଡ ବୈଠକରେ ତାଙ୍କ ନାଁ ଚୂଡ଼ାନ୍ତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ଘୋଷଣା କରିଛନ୍ତି ।
୬୮ ବର୍ଷୀୟ ସି.ପି ରାଧାକ୍ରିଷ୍ଣନ୍ ଙ୍କ ଘର ତାମିଲନାଡୁରେ । ୧୬ ବର୍ଷ ବୟସରୁ ଆରଏସଏସ୍ ଓ ଜନସଂଘ ସହ ଜଡ଼ିତ ହୋଇଥିଲେ । ପ୍ରଥମେ ୧୯୯୮ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କୋଏମ୍ବାଟୁର ସଂସଦୀୟ କ୍ଷେତ୍ରରୁ ଦୁଇଥର ନିର୍ବାଚିତ ହୋଇଥିଲେ । ତାମିଲନାଡୁର ବିଜେପି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡ, ତେଲେଙ୍ଗାନ ଏବଂ ପଣ୍ଡିଚେରୀ ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଗତବର୍ଷ ଜୁଲାଇ ୩୧ ତାରିଖରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱ ତୁଲାଉଛନ୍ତି ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ଆସନ୍ତା ୨୧ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷଦିନ । ସେପ୍ଟେମ୍ବର ୯ ରେ ଭୋଟ ଗ୍ରହଣ ହେବ ।
ସି.ପି ରାଧାକ୍ରିଷ୍ଣନ୍ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ
