ଯୁକ୍ତରାଷ୍ଟ୍ର ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଂଗଠନ ଓଡ଼ିଶା ସମାଜ ଯୁଏଇ (ଓଏସୟୁଏଇ) ପକ୍ଷରୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସିଧାସଳଖ ଇଣ୍ଡିଗୋ ଉଡ଼ାଣକୁ ୨୦୨୬ମାର୍ଚ୍ଚ ୩୦ ତାରିଖରୁ ବନ୍ଦ କରିବାକୁ ନେଇ ଯୋଜନା ହୋଇଥିବା ସୂଚନାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହି ଉଡ଼ାଣର ବନ୍ଦ ହେବା ଯୁଏଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ପ୍ରଭାବିତ କରିବା ସହ ପର୍ଯ୍ୟଟନ ଓ ବ୍ୟବସାୟିକ ସଂଯୋଗକୁ କ୍ଷତିଗ୍ରସ୍ତ କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସମୟୋଚିତ ହସ୍ତକ୍ଷେପ ମାଧ୍ୟମରେ ଏହି ଉଡ଼ାଣକୁ ବନ୍ଦ ହେବାରୁ ରକ୍ଷା କରିବାକୁ ଚିଠିରେ ଅନୁରୋଧ କରାଯାଇଛି।
ଓଡ଼ିଶା ସମାଜ ଯୁଏଇର ସଭାପତି ଅମିୟ କୁମାର ମିଶ୍ରଙ୍କ ଦସ୍ତଖତରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଇଣ୍ଡିଗୋ ଏୟାରଲାଇନ୍ସର ୱେବସାଇଟରେ ପ୍ରକାଶିତ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ମିଳିଛି। ୨୦୨୬ ମାର୍ଚ୍ଚ ୩୦ ତାରିଖ ପରେ ଏହି ରୁଟରେ ଅନଲାଇନ୍ ବୁକିଂ ବର୍ତ୍ତମାନ ଗ୍ରହଣ କରାଯାଉ ନାହିଁ। ୨୦୨୫ ସେପ୍ଟେମ୍ବରରେ ଇଣ୍ଡିଗୋ ବିମାନ ସେମା ଏହି ରୁଟର ବନ୍ଦ ହେବାର ଯୋଜନା ଥିବା ବେଳେ ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ହସ୍ତକ୍ଷେପ ଯୋଗୁଁ ଏହାକୁ ରୋକାଯାଇଥିଲା। ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଆବୁଧାବି ଓ ଭୁବନେଶ୍ୱର ମଧ୍ୟରେ ସପ୍ତାହରେ ତିନିଥର ଚାଲୁଥିବା ଅନ୍ୟ ଏକ ସିଧାସଳଖ ବିମାନ ଉଡ଼ାଣ ପୂର୍ବରୁ ବନ୍ଦ ହୋଇଯାଇଛି। ଏହା ଫଳରେ ଓଡ଼ିଶା ଓ ଯୁଏଇ ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ଯଥେଷ୍ଟ ହ୍ରାସ ପାଇଛି, ଯାହା ଆବୁ ଧାବି ଓ ପାଖାପାଖି ଅଞ୍ଚଳର ଲୋକମାନଙ୍କୁ ଅସୁବିଧାରେ ପକାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନର ପ୍ରତିକ୍ଷା ପରେ ୨୦୨୩ ମାର୍ଚ୍ଚରେ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ବର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। ସପ୍ତାହକୁ ତିନି ଦିନ ଚଳାଚଳ କରୁଥିବା ଏହି ବିମାନ ପାଇଁ ତତ୍କାଳୀନ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ (ଭିଜିଏଫ୍) ବ୍ୟବସ୍ଥା କରିଥିଲେ। ୟୁନାଇଟେଡ୍ ଆରବ ଏମିରେଟ୍ସରେ ରହୁଥିବା ୪୦ ହଜାରରୁ ଅଧିକ ଓଡ଼ିଆ ଲୋକଙ୍କ ଦାବି ପୂରଣ ହୋଇଥିଲା। ଭୁବନେଶ୍ବରରୁ ଆଉ ତିନି ଦେଶକୁ ସିଧାସଳଖ ବିମାନ ଚଳାଚଳ କରୁଥିବା ବେଳେ ଦୁବାଇ ରୁଟ୍ରେ ସର୍ବାଧିକ ଲୋକ (୯୫%) ଯାତ୍ରା କରୁଥିଲେ। ରାଜ୍ୟରେ ସରକାର ବଦଳିବା ପରେ ବି ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ଜାରି ରହିଥିଲା। ଗତ ନଭେମ୍ବର ମାସରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଉତ୍ତର ରଖି କହିଥିଲେ, ନୂତନ ଗନ୍ତବ୍ୟ ନୀତି ଅନୁଯାୟୀ ରାଜ୍ୟ ସରକାର ପ୍ରତ୍ୟେକ ବିଦେଶ ରାଉଣ୍ଡ ଟ୍ରିପ ପାଇଁ ୭୫୦ କିମି ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କା ଏବଂ ୭୫୦ କିମିରୁ ଅଧିକ ବାଟ ଯିବା ପାଇଁ ୧୫ ଲକ୍ଷ ଟଙ୍କା ଭାୟବଲ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ପ୍ରଦାନ କରାଯାଉଛି। ଦୁବାଇକୁ ସପ୍ତାହରେ ୩ ଦିନ ଉଡ଼ାଣ ହେଉଥିବା ବେଳେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍କୁ ସପ୍ତାହରେ ୨ ଦିନ ଉଡ଼ାଣ ହେଉଛି। ଦୁବାଇ ବିମାନର ୯୧% ଆସନ ପୂରଣ ହେଉଥିବା ବେଳେ ବାଙ୍ଗକକ୍ ପାଇଁ ୮୦.୫%, ସିଙ୍ଗାପୁର ପାଇଁ ୬୩.୯% ଟିକଟ ବିକ୍ରି ହେଉଛି। ସେହିପରି ଅବୁ ଧାବି ବିମାନରେ ପ୍ରାୟ ୬୦% ସିଟ୍ ବୁକିଂ ରହୁଥିଲା। ଦୁବାଇ ବିମାନ ପାଇଁ ଇଣ୍ଡିଗୋକୁ ରାଜ୍ୟ ସରକାର ୨୦୨୩ ମେ’ରୁ ୨୦୨୫ ମାର୍ଚ୍ଚ ସୁଦ୍ଧା ୬୪.୨୭ କୋଟି ଟଙ୍କା ଭିଜିଏଫ୍ ଦେଇଛନ୍ତି। ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଚୁକ୍ତି ଅନୁସାରେ ଭୁବନେଶ୍ବର-ଦୁବାଇ ବିମାନ ପାଇଁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ସରକାର ଭିଜିଏଫ୍ ପ୍ରଦାନ କରିବେ। ଏହା ପରେ ଭିଜିଏଫ୍ ଅବଧି ବୃଦ୍ଧି ନ କଲେ କମ୍ପାନୀ ନିଜେ ବିମାନ ଚଳାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଦୁବାଇ-ଭୁବନେଶ୍ୱର ସିଧାସଳଖ ଇଣ୍ଡିଗୋ ଉଡ଼ାଣ ବନ୍ଦ ଆଶଙ୍କା
