Utkala Mirror I Odisha News, Latest Odia News

ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା : ତିଥି ଅନୁସାରେ ପାଳନ ପାଇଁ ଇସ୍କନକୁ ଗଜପତିଙ୍କ ଚିଠି

ସାରା ବିଶ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତଥା ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ ସମ୍ପର୍କରେ ପଦକ୍ଷେପ ନେବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିସନର ଅଧ୍ୟକ୍ଷଙ୍କୁ ଆଜି ପତ୍ର ଲେଖିଛନ୍ତି ଶ୍ରୀ ଗଜପତି ମହାରାଜା l
ଗଜପତି ମହାରାଜା ନିଜ ପତ୍ର ତା.15-06-2025 ( ଇମେଲ୍ ମଧ୍ୟମରେ) ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଭାରତ ବାହାରେ ବିଭିନ୍ନ ଦେଶର ଇସ୍କନ କେନ୍ଦ୍ର ତଥା ମନ୍ଦିରଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶାସ୍ତ୍ରରେ ଅନୁମୋଦିତ ନ ଥିବା ତିଥିରେ ପାଳନ କରୁଥିବା ନଜରକୁ ଆସିଅଛି । ଏହା ସମ୍ପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ । ବିଭିନ୍ନ ଇସ୍କନ ମନ୍ଦିର ପକ୍ଷରୁ ଇଣ୍ଟରନେଟରେ ଏସମ୍ପର୍କରେ ଦିଆଯାଇଥିବା ଘୋଷଣାନାମାକୁ ମଧ୍ୟ ଚିଠି ସହିତ ସଂଲଗ୍ନ କରାଯାଇଅଛି lଶ୍ରୀ ଗଜପତି ମହାରାଜା ଲେଖିଛନ୍ତି ଯେ, ଗତ ମାର୍ଚ୍ଚ 20 ତାରିଖରେ ଭୁବନେଶ୍ବର ଠାରେ ହୋଇଥିବା ଆଲୋଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ ଇସ୍କନର ଯୁକ୍ତିକୁ ଖଣ୍ଡନ କରିବା ସହ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥି ( ଏବର୍ଷ ଜୁନ୍ 11 ତାରିଖ) ପାଳନ ହୋଇପାରିବ ଏବଂ ଆଷାଢ ଶୁକ୍ଳ ଦ୍ବିତୀୟ (ଏବର୍ଷ ଜୁନ୍ 27 ତାରିଖ ) ଠାରୁ ଆଷାଢ ଶୁକ୍ଳ ପକ୍ଷ ଦଶମୀ (ଏବର୍ଷ ଜୁଲାଇ 5 ତାରିଖ) ପବିତ୍ର ନଅ ଦିନ ମଧ୍ୟରେ ହିଁ ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡାଯାତ୍ରା) ପାଳନ କରାଯାଇ ପାରିବ ବୋଲି ସ୍ପଷ୍ଟ ଭାବେ କହିଥିଲେ l
ମହାପ୍ରଭୁଙ୍କ ସବୁଠାରୁ ପବିତ୍ର ଏହି ଯାତ୍ରା ଅନ୍ୟ ତିଥି କିମ୍ବା ତାରିଖରେ ପାଳନ କରାଯିବା ଦ୍ବାରା ଶାସ୍ତ୍ର ତଥା ପବିତ୍ର ଶ୍ରୀଜଗନ୍ନାଥ ପରମ୍ପରା ଉଲ୍ଲଂଘନ ହେବ । ଏନେଇ ଗବେଷକ ମାନଙ୍କ ବିସ୍ତୃତ ଶାସ୍ତ୍ର ସମ୍ମତ ମତ ଖୁବଶୀଘ୍ର ଇସ୍କନକୁ ପଠାଯିବ । ତେଣୁ ସମଗ୍ର ବିଶ୍ୱରେ କୌଣସି ଇସ୍କନ କେନ୍ଦ୍ର କିମ୍ବା ମନ୍ଦିରରେ ଶାସ୍ତ୍ର ସମ୍ମତ ତିଥି/ତାରିଖ ବ୍ୟତିରେକ ଅନ୍ୟ ଦିନ ସ୍ନାନଯାତ୍ରା କିମ୍ଵା ରଥଯାତ୍ରା ଯେପରି ପାଳିତ ହୁଏ, ତାହା ନିଶ୍ଚିତ କରିବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ କହିଛନ୍ତି ଗଜପତି ମହାରାଜା ।

Exit mobile version