Utkala Mirror I Odisha News, Latest Odia News

ଘଟଗାଁ ପୀଠରେ ନଡିଆ ଭଣ୍ଡାର ଓ ପ୍ରସାଦ ହଲ ନିର୍ମାଣ ହେବ, ବିକାଶ ଲାଗି ୨୨୬ କୋଟି

କେନ୍ଦୁଝରର ପ୍ରସିଦ୍ଧ ଘଟଗାଁ ମା’ ତାରଣୀ ମନ୍ଦିର  ଓ ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ମୋଟ ୨୨୬କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ପ୍ରସ୍ତୁତ ଡିପିଆରକୁ ସରକାର ମଞ୍ଜୁର କରିବା ସହ ମୋଟ ୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ଉନ୍ନତିମୂଳକ କାର୍ଯ୍ୟକୁ ୨୪ ମାସ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ ନିର୍ମାଣ ସହ ତୀର୍ଥଯାତ୍ରୀ କେନ୍ଦ୍ର, ନଡ଼ିଆ ଭଣ୍ଡାର ଓ ୫୦୦ ଲୋକ ବସିବା ଭଳି ପ୍ରସାଦସେବନ ପ୍ରକୋଷ୍ଠ, ଜିନିଷ ରଖିବା ଘର ଆଦି ନିର୍ମାଣ ହେବ। ମା’ଙ୍କ ପୀଠକୁ ଦେଶର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୋମବାର ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମା’ ତାରିଣୀ ପୀଠର ବିକାଶ ଲାଗି ୨୨୬କୋଟି ଟଙ୍କାର ପ୍ରସ୍ତାବ ମଧ୍ୟରୁ ୧୪୬କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ମା’ ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଦ୍ୱାରା ଭକ୍ତମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ଏହି ବିକାଶ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ହୋଇପାରିବ। ରାଜ୍ୟ କ୍ୟାବିନେଟ୍‌ ଏଥିପାଇଁ ୧୪୬ କୋଟି ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡର (ଜି.ଏସ୍‌.ଟିକୁ ବାଦ୍‌ ଦେଇ) ମେସର୍ସ ଦିଲ୍ଲୀପ କନଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ସପକ୍ଷରେ ଅନୁମୋଦନ କରିଛନ୍ତି। ୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ୨୪ ମାସ ଭିତରେ ସଂମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ମା’ଙ୍କ ପୀଠରି ବିକାଶ କାର୍ଯ୍ୟ ପାଇଁ ସମୁଦାୟ ୨୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ ନିର୍ମାଣ କରାଯିବ। ଏହାସହିତ ବ୍ୟାଖ୍ୟାନ କେନ୍ଦ୍ର, ଫୁଡ୍‌ ପ୍ଲାଜା ଓ ଓ୍ୱାଚ୍‌ ଟାଓ୍ୱାର,ମାକେର୍ଟ କମେ୍ପ୍ଲକ୍ସ,ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ (୫୦୦ ଜଣ ବସିଲା ଭଳି) ଓ ଜିନିଷ ରଖିବା ଘର ଆଦି ନିର୍ମାଣ କରାଯିବ। ଏହି ସମସ୍ତ କାର୍ଯ୍ୟ ସମାପ୍ତ ହେଲା ପରେ ଘଟଗାଁ ସ୍ଥିତ ମା’ଙ୍କ ପୀଠ ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଗଣିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version