ବିଧାୟକମାନଙ୍କୁ ନେଇ ୫ ଟି ସବ କମିଟି ଗଠନ ନିଷ୍ପତ୍ତି
ରାଜ୍ୟରେ ବର୍ତ୍ତମାନ ଯେଉଁ ଓଡିଶା ପୁନର୍ବାସ ଓ ପୁନଃଥଇଥାନ (ଆରଆଣ୍ଡଆର) ପଲିସି ୨୦୦୬ରେ ଅଣାଯାଇଥିବା ବେଳେ ୨୦୧୩ରେ ଏହାକୁ ସଂଶୋଧନ କରାଯାଇଥିଲା । ଏହି ନୀତିରେ ସଂଶୋଧନର ଆବଶ୍ୟକତା ରହିଥିଲା । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ନୂଆ ନୀତି ଆଣିବାକୁ ଯାଉଛନ୍ତି । ଦୁଇ ମାସ ମଧ୍ୟରେ ରାଜସ୍ବ ବିଭାଗ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବ । ଏନେଇ ବୁଧବାର ବିଧାନସଭାରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି । ଏହି ନୂଆ ନୀତି ସମ୍ପର୍କରେ ମତାମତ ଦେବା ପାଇଁ ବିଧାନସଭାର ୫ ଟି ସବ କମିଟି ଗଠନ ହେବ । ଏହି କମିଟି ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପରେ ସରକାରଙ୍କୁ ପ୍ରସ୍ତାବ ଦେବେ । ଏହି ପ୍ରସ୍ତାବଗୁଡିକୁ ଅନୁଧ୍ୟାନ କରି ଚୁଡାନ୍ତ ନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।
ରାଜ୍ୟରେ ପୂନର୍ବାସ ଓ ଥଇଥାନକୁ(ଆରଆଣ୍ଡଆର) ନୀତି ସମ୍ପର୍କରେ ବୁଧବାର ବିଧାନସଭା ଗୃହ କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବସିଥିବା ଏହି ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ୨୦୦୬ ମସିହାର ଆରଓଆର ନୀତି ସରକାର ନୂଆ ରୂପ ଦେବାକୁ ଯାଉଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମୟ ଉପଯୋଗୀ ଓଡିଶା ପୂନର୍ବାସ ଓ ପୁନଃ ଥଇଥାନ ନୀତି ସରକାର ପ୍ରସ୍ତୁତ କରୁଛନ୍ତି । ଜମି ଅଧିଗ୍ରହଣ ରେଳ, ଜଳସେଚନ ପ୍ରକଳ୍ପ, ରାସ୍ତା(ଉୟଭ ଜାତୀୟ ଓ ରାଜ୍ୟ ରାଜପଥ), ଶିଳ୍ପ, ସରକାରୀ ଉଦ୍ୟୋଗ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥାଏ । ଏହି ଜମି ଅଧିଗ୍ରହଣ ପାଇଁ ଲୋକଙ୍କୁ ପୁନଃଥଇଥାନ ୫ଟି ସବ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ବିଧାୟକମାନେ ଏହି ସବୁ ସବକମିଟିରେ ରହିବେ ଏବଂ ନୂଆ ନୀତି ପ୍ରଣୟନ ଲାଗି ସେମାନଙ୍କର ସୁଚିନ୍ତିତ ମତାମତ ଦେବେ । ରାଜସ୍ବ ବିଭାଗ ଏବଂ ଶିଳ୍ପ ବିଭାଗ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ନିୟମାବଳୀରେ ସଂଶୋଧନ ଆବଶ୍ୟକତା ଥିଲେ ୨ ମାସ ମଧ୍ୟରେ ତାହା ଶେଷ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅବ୍ୟବହୃତ ଶିଳ୍ପ ଜମି ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହେବ : ରାଜସ୍ବ ମନ୍ତ୍ରୀ
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବହୁ ଘରୋଇ ଶିଳ୍ପ ଅନୁଷ୍ଠାନମାନେ ଆବଶ୍ୟକତା ଠାରୁ ବହୁ ଅଧିକ ଜମି ନେଇଛନ୍ତି । ସେ ଜମିଗୁଡିକୁ ବ୍ୟବହାର କରିପାରିନାହାନ୍ତି । ସେହିଭଳି ବହୁ ଶିଳ୍ପ ସଂସ୍ଥା ଜମି ନେଇ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶିଳ୍ପ ପ୍ରତିଷ୍ଠା କରିପାରିନାହାନ୍ତି । ଏହିଭଳି ସରକାରୀ ଜମି ଫେରାଇଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ସ୍ତରରୁ ଏହିଭଳି ଅବ୍ୟବହୃତ ଜମିର ରିପୋର୍ଟ ପ୍ରଦାନ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଯିବ । ୨ ମାସ ମଧ୍ୟରେ ସେମାନଙ୍କ ଜିଲ୍ଲାରେ ଏହିଭଳି କେତେ ଶିଳ୍ପ ଅଛନ୍ତ, ତାହାର ଏକ ରିପୋର୍ଟ ଦେବେ । ସରକାର ଆଇନ ଅନୁସାରେ ସେହିସବୁ ଜମିକୁ ଫେରସ୍ତ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।
ଓଡିଶାରେ ବହୁ ଶିଳ୍ପ ପ୍ରକଳ୍ପ ଲାଗି ଶିଳ୍ପସଂସ୍ଥାଙ୍କ ସହ ଏମଓୟୁ କରାଯାଇଛି, ସେଥିପାଇଁ ପର୍ଯ୍ୟାପ୍ତ ଜମିର ଆବଶ୍ୟକତା ରହିଛି । ତେଣୁ ବୈଠକରେ ନିବେଶକାରୀମାନଙ୍କୁ ଜମି, ଜଳ, ପାଣି, ବିଦ୍ୟୁତ, ଯୋଗାଯୋଗ ସୁବିଧା ଯୋଗାଇଦେବା ନେଇ ଆଲୋଚନା ହୋଇଛି । ପ୍ରତିଷ୍ଠା କରାଯାଉଥିବା ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିକୁ କିଭଳି ପ୍ରାଧାନ୍ୟ ଦିଆଯାଇପାରିବ ସେନେଇ କମିଟିର ଅଧ୍ୟକ୍ଷ ଉପବାଚସ୍ପତି ଗୁରୁତ୍ବାରୋପ କରିଥିଲେ । ଓଡିଶାରେ ବିଗତ ଦିନ ମଧ୍ୟରେ ବହୁ ଶିଳ୍ପ ପ୍ରତିଷ୍ଠା ହୋଇଛି । ଶିଳ୍ପ ପ୍ରତିଷ୍ଠା ସହ ବର୍ତ୍ତମାନର ସରକାର ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଲାଗି ଏକ ଏସଓପି ପ୍ରସ୍ତୁତ କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।