ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ଆହୁରି ୩ ଦିନ ଯାଏଁ ରହିବ। ବିଶେଷ କରି ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ପାଇଁ ଆଗାମୀ ୩ ଦିନ ଯାଏଁ ରହିବ । ଗତ ୨୪ ଘଣ୍ଟାରେ କୋରାପୁଟ କୋଟପାଡ଼ ଅଞ୍ଚଳରେ ସର୍ବାଧିକ ବର୍ଷା ୫୮ ମିମି ରେକର୍ଡ କରାଯାଇଛ । ଶନିବାର ରାଜ୍ୟର ୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ଘଣ୍ଟାପ୍ରତି ପବନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଶୁକ୍ରବାର ସୁନ୍ଦରଗଡ଼ ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୦.୮, ହୀରାକୂଦରେ ୪୦.୨ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏବେ ଏକ ଟ୍ରଫ୍ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ଘୁର୍ଣ୍ଣିବଳୟ ଉପର ଦେଇ ପୂର୍ବ ଉତ୍ତର ପ୍ରଦେଶ, ବିହାର, ଉପ ହିମାଳୟ, ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ଯାଏଁ ସମୁଦ୍ର ପତନରୁ ୦.୯ କିମି ଉପରେ ଲମ୍ବିଛି ।
ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୁର୍ଣ୍ଣିବଳୟ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସମୁଦ୍ର ପତନଠାରୁ ୧.୫ କିମି ଉପରେ ରହିଛି । ଫଳରେ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇଛି । ଆଉ ୩ ଦିନ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପାଣିପାଗ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣରେ ତାତି ୪୦ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।
ଶନିବାର କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବଗେରେ ପବନ ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି ସେହିପରି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଥିବାବେଳେ ପୁରୀ, ଖୋର୍ଦ୍ଧା, ନୟଗାଡ଼, ଗଞ୍ଜାମ, ଗଜପତି, କଟକ ଓ ଜଗତସିଂହପୁର ଜିଲ୍ଲାକୁ ଉଷ୍ଣ ଆଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ରହିଛି ।