Utkala Mirror I Odisha News, Latest Odia News

୨୨ରେ ଲଘୁଚାପ ୨୪ରେ ଅବପାତ, ବଙ୍ଗୋପସାଗରରେ ବାତ୍ୟା ଲାଗି ପାଗ ଅନୁକୂଳ

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୨ ତାରିଖକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସତର୍କତା ଜାରି କରାଯାଇଛି। ବଙ୍ଗୋପ ସାଗରରେ ଏବେ ଗ୍ରୀଷ୍ମ କାଳୀନ ବାତ୍ୟା ଲାଗି ପାଗ ଅନୁକୂଳ ଥିବାବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ପୂର୍ବାନୁମାନ କରିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି।

୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ (ୱେଲ୍‌ ମାର୍କଡ୍‌ ଲୋପ୍ରେସର) ଓ ପରେ ଅବପାତ ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତୀବ୍ରତା ନେଇ ଆକଳନ ପ୍ରକାଶ ପାଇବ। ଏହି ସିଷ୍ଟମ ଉପୈର ଆଇଏମଡି ନଜର ରଖିଛି। ଏହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା ଦିଆଯିବ ବୋଲି ବିଶେଷଜ୍ଞ ଶ୍ରୀ ଦାସ କହିଛନ୍ତି। ଏବେ ଏକ ନିମ୍ନଚାପରେଖା ଦକ୍ଷିଣ ଛତିାଗଡ଼ରୁ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଯାଏଁ ତେଲେଙ୍ଗାନା ଓ ରୟାଲସୀମା ଦେଇ ସମୁଦ୍ରପତନରୁ ୩.୧ କିମି ଉପରେ ପରିବ୍ୟାପ୍ତ ରହିଛି। ଫଳରେ ରାଜ୍ୟର ଦକ୍ଷିଣାଞ୍ଚଳରେ ସ୍ଥାନେ ସ୍ଥାନେ କାଳବୈଶାଖୀ ସହ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Exit mobile version