ବଙ୍ଗୋପସାଗରରେ ଲଘୁଚାପ
ଗୁରୁବାର ଯାଏଁ ରାଜ୍ୟ ସାରା ବର୍ଷା
ଉପକୂଳ ଓ ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ରେକର୍ଡ
୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଏହା ଧିରେ ଧିରେ ଉତ୍ତରମୁହାଁ ହେବା ସହ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । ଏନେଇ ପହିଲା ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।
ରାଜ୍ୟରେ ଗତ ୨ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ସକାଳୁ ପାରାଦ୍ୱୀପରେ ସର୍ବାଧିକ ବର୍ଷା ୩୦.୬ ମିମି ରେକର୍ଡ ହୋଇଥିବାବେଳେ ଭବାପୀପାଟଣା ୨୯ ମିମି, ଦାରିଙ୍ଗବାଡ଼ିରେ ୨୮ମିମି, ସମ୍ବଲପୁରରେ ୨୬ ମିମି ରେକର୍ଡ କରାଯାଇଛି । ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଥିବାବେଳେ ଏଥିଲାଗି ପାଗ ପୁରା ଅନୁକୂଳ ରହିଛି ।ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ଲାଗି ରହିବ । ତିନି ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଜିବାକୁ ବାରଣ କରାଯାଇଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି।
ରାଜ୍ୟ ସାରା ପାଗ ମେଘୁଆ ରହିବା ସହ ବର୍ଷା ହେବ । ୩୦ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପରିମାଣ ହ୍ରାସ ପାଇବ, କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି ହୋଇଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି । ସୋମବାର ଭଳି ମଙ୍ଗଳବାର ମଧ୍ୟ ରାଜ୍ୟରେ ଦିନ ତାପମରାତ୍ରା ସବୁଠି ୪୦ ଡତିଗ୍ରୀ ତଳକୁ ଖସିଛି। ଆସନ୍ତା ସପ୍ତାହକ ତାତି ବଢ଼ିବା ନେଇ କୌଣସି ପୂର୍ବାକଳନ ଜାରି କରାଯାଇନାହିଁ । ବୁଧବାର ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧ ତାରିଖ ଯାଏଁ ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ସତର୍କତା ଜାରି ହୋଇଥିବାବେଳେ ମୌସୁମୀ ଓଡ଼ିଶା ଛୁଇଁବାକୁପାଗ ଅନୁକୂଳ ଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।
ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ଏହାସହ ମୌସୁମୀ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ଓଡ଼ିଶାର କିଛି ଅଂଶ, ମହାରାଷ୍ଟ୍ରର ଆହୁରି କିଛି ଅଂଶ, କର୍ଣ୍ଣାଟକର ଅବଶିଷ୍ଟ ଅଂଶ, ତେଲେଙ୍ଗାନାର କିଛି ଅଂଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର କିଛି ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଂଶ, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଂଶରେ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ।ଲଘୁଚାପ ଓ ପ୍ରାକ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।