ଆଉ ୨ ଦିନ ପ୍ରବଳ ବର୍ଷା

ଅଧା ଓଡ଼ିଶାରେ ମୌସୁମୀ ବାୟୁ
୨ ଦିନରେ ପୁରା ଓଡ଼ିଶାରେ ଅଗ୍ରସର ନେଇ ପାଗ ଅନୁକୂଳ
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ଗଭୀର ଅବପାତ ସୃଷ୍ଟି ହୋଇଛି ।
ପଶ୍ଚିମ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଘଣ୍ଟାପ୍ରତି ୨୨ କିମି ବେଗରେ ଉତ୍ତର ଦିଗକୁ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିଛି। ଏହା ପ୍ରାୟ ଉତ୍ତର-ପୂର୍ବ ଦିଗରେ ଗତି କରି ତାର ତୀବ୍ରତା ବଜାୟ ରଖିବ।ପରେ ଧୀରେ ଧୀରେ ଦୁର୍ବଳ ହୋଇ ଅବପାତ ଓ ପରେ ଲଘୁଚାପରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।
ଗୁରୁବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ବାୟୁ ଅଗ୍ରସର ହେବା ସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଦ୍ବିତୀୟ ଦିନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧା ଓଡ଼ିଶାରେ ପ୍ରବେଶ କରିଛି।ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପୂର୍ଣ୍ଣତଃ ମୌସୁମୀ ବାୟୁ ଅଗ୍ରସର ହୋଇଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି।
ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁରା ଓଡ଼ିଶାରେ ଅଗ୍ରସର ହେବା ନେଇ ପାଗ ଅନୁଗୂଳ ରହିଥÒବାବେଳେ ବାୟୁମଣ୍ଡଳରେ ସକ୍ରିୟ ଥିବା ଟ୍ରଫଲାଇନ୍ ଓ ଗଭୀର ଅବପାତ ମୌସୁମୀକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି ।ଟ୍ରଫଲାଇନ୍ ଓ ସକ୍ରିୟ ଗଭୀର ଅବପାତ ଲାଗି ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଲାଞ୍ଜିଗଡ଼ରେ ସର୍ବାଧିକ ବର୍ଷା ୯୬.୪ ମିମି ରେକର୍ଡ କରାଯାଇଥÒବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ୮୫, ଅନୁଗୁଳରେ ୭୪, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ୭୩, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ୭୨, ଗଞ୍ଜାମ ୬୭, ନୟାଗଡ଼ ଜିଲ୍ଲା ଭାଁପୁର ଅଞ୍ଚଳରେ ୬୨.୩, ସୋନପୁର ୬୧, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ୫୫.୮ ମକିମି ବର୍ଷା ଅନୁଭୂତ ହୋଇଛି ।ସେହିପରି ଅନେକ ସ୍ଥାନରେ ୦ରୁ ୫୦ ମିମି ଯାଏଁ ବର୍ଷା ରେକର୍ଡ କରାଯାଇଛି । ଗଭୀର ଅବପାତ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ନିର୍ଦ୍ଦେଶକ କହିଛନ୍ତି ।
ଆସନ୍ତା ୨ ଦିନ ମଧ୍ୟ ଏହା ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି ।ଶୁକ୍ରବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି।