Utkala Mirror I Odisha News, Latest Odia News

ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ନେଇ ଆସିବ ମାର୍ଗଦର୍ଶିକା

ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ହସ୍ତାନ୍ତର ମାମଲାରେ ହାଇକୋର୍ଟଙ୍କ ରାୟକୁ ସବୁଆଡୁ ପ୍ରସଂଶା କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ହସ୍ତାନ୍ତର ନେଇ ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ । ଏହି ରାୟକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ସାମନାକୁ ଆସିଛି । “ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ । କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନାହିଁ । ଏହାସହ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତିରେ ଜମିର ସୁରକ୍ଷା କରାଯିବ” ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Srimandir

ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଇଜେସନ୍, ମନ୍ଦିର ସମ୍ପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ଆଣାଯାଉ। ମହାପ୍ରଭୁଙ୍କ ନାଁରେ ଥିବା ସମ୍ପତ୍ତି ସଂକ୍ରାନ୍ତୀୟ ତଥ୍ୟ ଠିକ୍ ଭାବେ ରେକର୍ଡ କରିବାକୁ ରାଜସ୍ବ ଓ ଭୂମି ରେକର୍ଡ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ସହିତ ପ୍ରକୃତ ଆଇନଗତ ସ୍ଥିତି ସଂକ୍ରାନ୍ତରେ ଶ୍ରୀଜିଉଙ୍କ ସମ୍ପତ୍ତି ତଥ୍ୟ ରେକର୍ଡରେ ଉଲ୍ଲେଖ କରାଯିବ। ଆଇନର ବିରୁଦ୍ଧାଚରଣ କରୁଥିବା ତଥା ଏହି ରାୟ ଅନୁସାରେ ନଥିବା ଯେ କୌଣସି ମ୍ୟୁଟେସନ୍ ବା ଜମି ରେକର୍ଡରେ ସଂଶୋଧନକୁ ବାଦ ଦିଆଯିବ। ବିଶେଷ କରି ଧାରା ୧୬ (୨) ର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସେହିପରି ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର, ଲିଜ୍ ଓ ମ୍ୟୁଟେସନ୍ ପ୍ରସଙ୍ଗରେ ଆଇନ୍ ବିଭାଗ ଓ ମନ୍ଦିର ପ୍ରଶାସନ ଉପଯୁକ୍ତ ସମନ୍ବୟ ରଖିବେ। ଯଦି କୌଣସି ପ୍ରଶାସନିକ ଅନିୟମିତତା ଓ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ବେଆଇନ୍ ହସ୍ତାନ୍ତର କିମ୍ବା ମ୍ୟୁଟେସନ୍ ହୋଇଥାଏ, ତେବେ ଏଭଳି ଘଟଣାକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ହାଇକୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଇ ଶ୍ରୀମନ୍ଦିର ପ୍ରଶାସନ ଆହୁରି ମଧ୍ୟ କହିଛି, “ହାଇକୋର୍ଟଙ୍କ ରାୟ ଆଗାମୀ ଦିନରେ ମାର୍ଗଦର୍ଶକ ସାଜିବ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ଦିର ପ୍ରଶାସନ ବଦ୍ଧପରିକର ।” ଶ୍ରୀମନ୍ଦିର ସମ୍ପତ୍ତି ବିବାଦ ନେଇ ପୂର୍ବରୁ ମାମଲା ରହିଥିଲା । ଯାହାର ଶୁଣାଣି କରି ଶ୍ରୀମନ୍ଦିର ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସମ୍ପତ୍ତି ତାଲିକାର ଡିଜିଟାଲାଇଜେସନ ସହ ମ୍ୟୁଟେସନ ଓ ହସ୍ତାନ୍ତର ନେଇ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ମାମଲା ଲଢ଼ିଥିଲେ ।

Exit mobile version