ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂର ସଫଳ ହୋଇଛି ଏବଂ ବାୟୁସେନାକୁ ଯେଉଁ ଦାୟିତ୍ବ ପ୍ରଦାନ କରାଯାଇଥିଲା ତାହାକୁ ସୁଚାରୁରୂପେ ସମ୍ପନ୍ନ କରାଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗି ସହମତି ପରେ ସୀମାରେ ଗୁଳିଗୋଳା ବିନିମୟ ବନ୍ଦ ରହିଛି । ପାକିସ୍ତାନ ସେନା ମଧ୍ୟ ଆଜି ଆଉ ମିସାଇଲ ବା ଡ୍ରୋନ ସହାୟତାରେ ଆକ୍ରମଣ କରିନାହିଁ । ପରିସ୍ଥିତି ସ୍ବାଭାବିକ ହୋଇଟିବା ବେଳେ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଅପରେସନ ସିନ୍ଦୂର ଶେଷ ହୋଇନି । ଆତଙ୍କବାଦୀ ସମ୍ପୂର୍ଣ୍ଣ ବିନାଶ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ । ଅନ୍ୟ ପକ୍ଷରେ ଏହି ଅପରେସନରେ ବାୟୁସେନା ତା’ର ଭୂମିକା ସଠିକ ଭାବେ ନିର୍ବାହ କରିଛି । ଗତ ୬ ତାରିଖ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା ଏବଂ ମାତ୍ର ୨୫ ମିନିଟରେ ପାକିସ୍ତାନ ତଥା ପିଓକେରେ ୨୪ଟି ଆତଙ୍କୀ ଶିବୀର ତଥା ତାଲିମକେନ୍ଦ୍ରକୁ ଧ୍ବଂସ କରାଯାଇଥିଲା । ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ଏହି ଅପରେସନରେ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ସେହିପରି ଗତ ୮ ତାରିଖ ରାତିରେ ଭାରତୀୟ ବାୟୁସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରି ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟିକୁ ନଷ୍ଟ କରିଛି ଏବଂ ପାକିସ୍ତାନର ୩ଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଛି ବୋଲି କୁହାଯାଇଛି ।