ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଅଧିକାରୀସ୍ତରରେ ଅଦଳବଦଳ କରାଯିବା ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀରବିକ୍ରମକୁ ରିଲିଭ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ତଥା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ବଦଳି କରାଯାଇଛି। ଶୁକ୍ରବାର ସଞ୍ଜୟଙ୍କୁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ସହିତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ୨୦୦୮ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ତଥା ବାଣିଜ୍ୟ କର କମିଶନର ଓ ଅର୍ଥବିଭାଗ ସ୍ୱତନ୍ତ୍ର ସଚିବ ଯାମିନୀ ଷଡ଼ଙ୍ଗୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ କମିସନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିଭଳି ନିର୍ମାଣ ବିଭାଗର ବର୍ତ୍ତମାନର ପ୍ରମୁଖ ସଚିବ ବୀରବିକ୍ରମ ଯାଦବକୁ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟର ପୂର୍ବ ନିଦେର୍ଶ ଅନୁଯାୟୀ ଶୁକ୍ରବାର ରିଲିଭ କରାଯାଇଛି। ବୀରବିକ୍ରମ ଆଜିଠାରୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ପାଣିପାଗ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ।
–(ରଞ୍ଜନ)
ନୂଆ କେନ୍ଦୀୟ ସମବାୟ ବ୍ୟାଙ୍କ ଖୋଲିବାକୁ ଯୋଜନା
ବିଭାଗ ପକ୍ଷରୁ ନାବାର୍ଡ ପ୍ରସ୍ତାବ ତର୍ଜମା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର, ତା ୯ ୫ (ପିଏନଏସ):
ରାଜ୍ୟରେ ରାଜ୍ୟ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ନାବାର୍ଡ ଦ୍ବାରା ପ୍ରସ୍ତୁତ ଏକ ପ୍ରସ୍ତାବ ରାଜ୍ୟ ହସ୍ତଗତ ହେବା ପରେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଏହାର ତର୍ଜମା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସମବାୟ ବ୍ୟାଙ୍କଗୁଡିକର ପରିସର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।
ଚାଷୀଙ୍କୁ ମିଳୁଥିବା କୃଷି ଋଣ ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି। ଏହିକ୍ରମରେ ସମବାୟ ବିଭାଗ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ସମ୍ପ୍ରତି ରାଜ୍ୟର ଅନୁଗୁଳ, ଆସ୍କା, ବାଲେଶ୍ୱର, ବାଙ୍କୀ, ବ୍ରହ୍ମପୁର, ଭବାନୀପାଟଣା, ବଲାଙ୍ଗିର, ବୌଦ୍ଧ, କଟକ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ପୁରୀରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରହିଛି। ବଳକା ଜିଲ୍ଲାଗୁଡିକରେ ମଧ୍ୟ ସମବାୟ ବ୍ୟାଙ୍କ ଗଠନ କରିବା ନେଇ ସରକାର ପ୍ରସ୍ତୁତି କରୁଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।
ହିରାକୁଦରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରିବାକୁ ମାଷ୍ଟରପ୍ଲାନ ହେବ