ନିରିହ ଭାରତୀୟମାନଙ୍କ ଉପରେ ହୋଇଥିବା ନୃଶଂସ ଆତଙ୍କବାଦି ଆକ୍ରମଣ ପରେ ପାକିସ୍ଥାନ ବିରୁଦ୍ଧରେ ଚାଲିଥିବା ଅପରେସନ ସିନ୍ଦୁର ଏବଂ ପାକିସ୍ଥାନ ପକ୍ଷରୁ ଯେପରି ଭାବରେ ଦାୟିତ୍ୱହୀନତା ଭାବରେ ଭାରତ ଉପରେ ଆକ୍ରମଣ କରିବାକୁ ଦୁଃସାହସ କରିଛି ତାକୁ ନେଇ ଯୁଦ୍ଧ ପରି ସ୍ଥିତି ଉପୁଜିଛି । ବିଶେଷକରି ଦେଶର ସୀମାନ୍ତ ଅଞ୍ଚଳରେ ଗୁଳିଗୋଳା ବର୍ଷଣ ହେବାର ସମ୍ଭାବନାକୁ ଦେଖି ସେ ଅଞ୍ଚଳରେ ରହୁଥିବା ପ୍ରବାସୀମାନେ ନିଜ ନିଜ ପ୍ରଦେଶକୁ ଯିବାରେ ଲାଗିଛନ୍ତି । ଜମ୍ମୁ କଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟର ପାକିସ୍ଥାନ ସୀମାବର୍ତ୍ତି ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାରେ ପାଠ ପଢୁଥିବା କିମ୍ୱା ବେସରକାରୀ ଚାକିରୀ କରୁଥିବା ଅଥବା ବୁଲିବାକୁ ଯାଇଥିବା ଓଡ଼ିଆମାନେ ଓଡ଼ିଶାକୁ ତୁରନ୍ତ ଫେରିଆସିବାକୁ ଚାହୁଁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀସ୍ଥିତ ଆବାସୀକ କମିଶନର କାର୍ଯ୍ୟାଳୟ ସେମାନଙ୍କ ସହାୟତା ପାଇଁ ଏକ କଂଟ୍ରୋଲରୁମ ସ୍ଥାପନ କରିଛନ୍ତି । ଯେଉଁମାନେ ଏହିସବୁ ସୀମାନ୍ତ ଅଞ୍ଚଳରୁ ଦିଲ୍ଲୀ ଆସୁଛନ୍ତି ସେମାନଙ୍କ ରହିବା, ଖାଇବା ସହିତ ଟ୍ରେନରେ ଟିକଟ କରାଇ ଆବାସୀକ କମିଶନରଙ୍କ କାର୍ଯ୍ୟାଳୟ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ପଠାଉଛନ୍ତି । ଆଜି ସଂଧ୍ୟାସୁଦ୍ଧା ଦିଲ୍ଲୀକୁ 120 ଜଣ ଛାତ୍ରଛାତ୍ରୀଙ୍କ ସମେତ ଲୋକମାନେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ଓଡ଼ିଶା ସଦନ, ଓଡ଼ିଶା ନିବାସ ଆଦି ସ୍ଥାନରେ ରଖାଯାଇଛି ଏବଂ ରାତିରେ ସେମାନଙ୍କୁ ଟ୍ରେନ ଯୋଗେ ଓଡ଼ିଶା ପଠାଯିବ । ଆଜି ରାତିରେ ଆହୁରି 30ରୁ 40 ଜଣ ଲୋକ ଦିଲ୍ଲୀ ଆସୁଥିବା ନେଇ କଂଟ୍ରୋଲରୁମକୁ ଯୋଗାଯୋଗ କରିଥିବା ଓଡ଼ିଶା ଆବାସୀକ କମିଶନରଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତା କାଲି ସୁଦ୍ଧା ଯେତେ ଲୋକ ଦିଲ୍ଲୀରେ ପହଞ୍ଚିବେ ସେମାନଙ୍କୁ ଆସନ୍ତାକାଲି ରାତିରେ ଟ୍ରେନରେ ଓଡ଼ିଶାକୁ ପଠାଯିବ । ଜାରି କରାଯାଇଥିବା କଂଟ୍ରୋଲ ନମ୍ୱର ହେଉଛି 7428135044 । ଦିଲ୍ଲୀରେ ପହଞ୍ଚି ଏହି ନମ୍ୱରକୁ ଫୋନ କରି ଯେକେହି ଓଡ଼ିଆ ସହାୟତା ପାଇପାରିବେ ବୋଲି କମିଶନରଙ୍କ କାର୍ଯ୍ୟାଳୟ କହିଛି । ଆଗକୁ ଯୁଦ୍ଧ ପରିସ୍ଥିତି ଜଟିଳ ହେଲେ ଅଧିକରୁ ଅଧିକ ଓଡ଼ିଆ ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଫେରିବାର ସମ୍ଭାବନା ରହିଛି ଏଣୁ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସେମାନଙ୍କୁ ସବୁମତେ ସହାୟତା କରିବାକୁ ତତ୍ପର ଥିବା କୁହାଯାଉଛି ।
ଦିଲ୍ଲୀରେ ଓଡ଼ିଆଙ୍କ ସହାୟତା ପାଇଁ ସରକାର ଖୋଲିଲେ କଂଟ୍ରୋଲରୁମ
