Utkala Mirror I Odisha News, Latest Odia News

ସିପି ରାଧାକ୍ରିଷ୍ଣନ ହେଲେ ଉପ ରାଷ୍ଟ୍ରପତି, ଜଷ୍ଟିସ ରେଡ୍ଡୀଙ୍କୁ ୩୦୦ ଖଣ୍ଡ ଭୋଟ

ଭାରତର ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସିକ୍ରେଟ ବାଲଟ ମାଧ୍ୟମରେ ହୋଇଥିବା ଭୋଟିଂରେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଥିବା ବେଳେ ଜଷ୍ଟିସ ରେଡ୍ଡୀ ୩୦୦ ଖଣ୍ଡ ଭୋଟ ପାଇଛନ୍ତି। ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ମହାସଚିବ ପିସି ମୋଦି ୧୫ଟି ଭୋଟ ନାକଚ ହୋଇଥିବା ଘୋଷଣା କରିଛନ୍ତି।
ଏହି ବିଜୟ ସହିତ ସିପି ରାଧାକ୍ରିଷ୍ଣନ ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ନିର୍ବାଚନ ପାଇଁ ସକାଳ ୧୦ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭୋଟ ଦେଇଥିଲେ। ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥିଲେ। ମୋଟ ୭୮୮ ସାଂସଦଙ୍କ ମଧ୍ୟରୁ ୭୮୧ ବୈଧ ଭୋଟ ଥିବା ବେଳେ ୭୬୭ ଜଣ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୭୫୨ ବୈଧ ଓ ୧୫ଟି ନାକଚ ହୋଇଥିଲା। ବିଆରଏସ୍‌ର ୪ ଜଣ, ବିଜେଡିର ୭ ଜଣ, ଅକାଳୀ ଦଳ ଓ ଜଣେ ସ୍ୱାଧୀନ ସାଂସଦ ଭୋଟିଂରେ ଅଂଶଗ୍ରହଣ କରି ନଥିଲେ। ଏହି ନିର୍ବାଚନରେ ୯୮% ଭୋଟିଂ ହାର ରେକର୍ଡ କରାଯାଇଛି, ଯାହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାଂସଦମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି। ସିପି ରାଧାକ୍ରିଷ୍ଣନଙ୍କ ବିଜୟ ଏନଡିଏର ରାଜନୈତିକ ଶକ୍ତିକୁ ଆହୁରି ଦୃଢ଼ କରିଛି।

Exit mobile version