ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ପ୍ରାମାଣିକରଣ

ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ପ୍ରାମାଣିକରଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ୍ ୪, ୨୦୨୫ରେ ଏକ୍ସ ପ୍ଲାଟଫର୍ମରେ ଏହି ଘୋଷଣା କରି କହିଛନ୍ତି ଯେ ଏହି ପଦକ୍ଷେପ ସାଧାରଣ ଯାତ୍ରୀଙ୍କୁ ଜରୁରୀ ସମୟରେ ନିଶ୍ଚିତ ଟିକେଟ୍ ପାଇବାରେ ସହାୟକ ହେବ। ଏହି ବ୍ୟବସ୍ଥା ଖୁବଶିଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।
ତତ୍କାଳ ଟିକେଟ୍ ବୁକିଂ ସମୟରେ ଏଜେଣ୍ଟମାନଙ୍କ ଦ୍ୱାରା ଅନୁଚିତ ବ୍ୟବହାର ଏକ ପ୍ରମୁଖ ସମସ୍ୟା ହୋଇପଡ଼ିଛି। ଆଇଆରସିଟିସି ରିପୋର୍ଟ ଅନୁଯାୟୀ, ୨୦୨୫ ଜାନୁଆରୀରୁ ମେ ମାସ ମଧ୍ୟରେ ୨.୯ ଲକ୍ଷ ସନ୍ଦିଗ୍ଧ ପିଏନଆର ସୃଷ୍ଟି ହୋଇଥିଲା, ଯାହା ବୁକିଂ ଖୋଲିବାର ପ୍ରଥମ ୫ ମିନିଟ୍ ମଧ୍ୟରେ ହୋଇଥିଲା। ଏହାକୁ ରୋକିବା ପାଇଁ ରେଳବାଇ ୨.୫ କୋଟି ସନ୍ଦିଗ୍ଧ ଆଇଡି ନିଷ୍କ୍ରିୟ କରିଛି। ଇ-ଆଧାର ପ୍ରାମାଣିକରଣ ମାଧ୍ୟମରେ ଏକ ଓଟିପି ପ୍ରକ୍ରିୟା ଜରିଆରେ ଯାତ୍ରୀଙ୍କ ପରିଚୟ ଯାଞ୍ଚ କରାଯିବ, ଯାହା ଟିକେଟ୍ ହାରାଇବା ଓ ଦଲାଲଙ୍କ କାର୍ଯ୍ୟକଳାପକୁ ହ୍ରାସ କରିବ।


ତେବେ, ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ସାଧାରଣ ଯାତ୍ରୀ ଏହାକୁ ସ୍ୱାଗତ କରିଥିବା ବେଳେ, କେତେକ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ ଆଧାର ଓଟିପିରେ ବିଳମ୍ବ ଓ ନେଟୱାର୍କ ସମସ୍ୟା ଯୋଗୁଁ ବୁକିଂ ଆହୁରି କଷ୍ଟସାଧ୍ୟ ହୋଇପାରେ। ଆଇଆରସିଟିସି ୱେବସାଇଟ୍ରେ ବିଜ୍ଞାପନ ଯୋଗୁଁ ସର୍ଭର ଧୀମା ହେବା ସମସ୍ୟା ମଧ୍ୟ ଉଠିଛି। ଅନ୍ୟପକ୍ଷରେ, ଏହି ପଦକ୍ଷେପକୁ ଡିଜିଟାଲ୍ ଇଣ୍ଡିଆ ଓ ରେଳବାଇ ସଂସ୍କାର ଦିଗରେ ଏକ ଇତିହାସ ସୃଷ୍ଟିକାରୀ ପଦକ୍ଷେପ ବୋଲି ଅନେକେ ମତ ଦେଇଛନ୍ତି। ଏହା ସାଧାରଣ ଯାତ୍ରୀଙ୍କ ସୁବିଧା ପାଇଁ କେତେ ଦୂର ସଫଳ ହେବ, ତାହା ସମୟ ହିଁ କହିବ।