କିରାନା ହିଲ୍ସରେ ପାକିସ୍ତାନର ତଥାକଥିତ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ଗୁଜବକୁ ଭାରତୀୟ ବାୟୁସେନା ପକ୍ଷରୁ ଖଣ୍ଡନ କରାଯାଇଛି। ସୋମବାର ଗଣମାଧ୍ୟମକର ପ୍ରଶ୍ନର ଉତ୍ତରରେ ବ୍ୟଙ୍ଗାତ୍ମକ ଢଙ୍ଗରେ ଏୟାର ମାର୍ଶଲ ଏ.କେ. ଭାରତୀ କହିଛନ୍ତି ଯେ କିରାନା ହିଲ୍ସ ଉପରେ ପରମାଣୁ ପ୍ରତିଷ୍ଠାନ ରହିଛି ବୋଲି ଆମେ ଜାଣି ନଥିଲୁ । ସେ ବିଷୟରେ ଆମକୁ ଜଣାଇଥିବାରୁ ଧନ୍ୟବାଦ ।
ସେନାର ମିଳିତ ପ୍ରେସ ବ୍ରିଫିଂରେ ଏୟାର ମାର୍ଶାଲ ଏ କେ ଭାରତୀଙ୍କ ସହ ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ନୌସେନାର ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ଉପସ୍ଥିତ ଥିଲେ । ସେମାନେ କହିଥିଲେ ଯେ ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ନେଇ ସୋସିଆଲ ମିଡିଆ ଚର୍ଚ୍ଚା ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରୁଛି ।
ସର୍ଗୋଧା ବାୟୁସେନା ଘାଟି ନିକଟବର୍ତ୍ତୀ କିରାନା ହିଲ୍ସରେ ଏକ ପରମାଣୁ କେନ୍ଦ୍ର ଉପରେ ଭାରତୀୟ ସେନାର ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରାଯାଉଛି ।
ସେ କହିଥିଲେ ଯେ ଆମେ ପାକିସ୍ତାନର ରେୟିମିୟାର ଖାନ ଏୟାରବେସକୁ ନଷ୍ଟ କରିଦେଇଛୁ । ଭାରତୀୟ ବାୟୁସେନାର ଆକ୍ରମଣରେ ଏହାର ରନୱେ ମଧ୍ୟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ।
ଏୟାର ମାର୍ଶାଲ ଭାରତୀ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟ କେବଳ ଆତଙ୍କବାଦୀ ଓ ସେମାନଙ୍କ ସମରଥିତ ନେଟୱାର୍କକୁ ଟାର୍ଗେଟ କରିଥିଲା, ପାକିସ୍ତାନର ସାମରିକ ବାହିନୀକୁ ନୁହେଁ । କିନ୍ତୁ ପାକିସ୍ତାନୀ ସେନା ହସ୍ତକ୍ଷେପ କରି ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା । ଶେଷରେ ଆମେ ତା’ର ଜବାବ ଦେବାକୁ ବାଧ୍ୟ ହେଲୁ । ଏଥିଯୋଗୁଁ ସେମାନେ ଯାହା କ୍ଷତି ସହିଲେ, ତାହା ସେମାନେ ହିଁ ଦାୟୀ ।
ଏହି ଯୁଦ୍ଧରୁ କି ସନ୍ଦେଶ ମିଳିଲା ବୋଲି ପ୍ରଶ୍ନର ଉତ୍ତରରେ ସେ ରାମ ଚରିତ ମାନସର ଏକ ପଙ୍କ୍ତି ଶୁଣାଇଥିଲେ,
ବିନୟ ନ ମାନତ ଜଲଧି
ଜଡ଼ ତିନି ଦିନ ବିତି
ବୋଲେ ରାମ ସକୋପ ତବ
ଭୟ ବିନୁ ହୋଇ ନ ପ୍ରୀତି ସେ କହିଲେ ଯେ ସମଝଦାର କୋ ଇସାରା କାଫି ହୈ । ଶେଷରେ ସେ ସ୍ପଷ୍ଟ ଭାବେ କହିଲେ ଯେ ଆମର ସମସ୍ତ ସେନାବେସ, ସମସ୍ତ ଯନ୍ତ୍ରପାତି ଓ ସିଷ୍ଟମ ଏବେ ବି ସକ୍ରିୟ ଅଛି ଏବଂ ପରବର୍ତ୍ତୀ ମିଶନ ପାଇଁ ଆମେ ପ୍ରସ୍ତୁତ ଅଛୁ ।