ଶିକ୍ଷାନୁଷ୍ଠାନର ନିର୍ଯାତନା ଅଭିଯୋଗ ସି-ବକ୍ସରେ ଅପଲୋଡ କରିବାକୁ ନିର୍ଦ୍ଦେଶ

କଲେଜ ଗୁଡିକରେ ର୍ନିଯାତନା ଅଭିଯୋଗ ଓ ସମାଧାନର ସଂପୂର୍ଣ୍ଣ ତଥ୍ୟ ସି-ବକ୍ସ ପୋର୍ଟାଲରେ ଅପଲୋଡ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଗୁଡିକ ଅଭିଯୋଗ ଏବଂ ସମାଧାନର ସଂଖ୍ୟା ବି ଅପଲୋଡ କରିବାକୁ ଶିକ୍ଷାନୁଷ୍ଠାନକୁ କୁହାଯାଇଛି। ବିଭାଗ ଓ କାର୍ଯ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟିର ବିବରଣୀ ଗୁଡିକ ମଧ୍ୟ ଅପଲୋଡ କରାଯିବ। ଅଗଷ୍ଟ ୧ ସୁଦ୍ଧା ସି-ବକ୍ସ ପୋର୍ଟାଲରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ଏହି ସମ୍ପର୍କରେ ଉଲ୍ଲେଖ କରି ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମହିଳାମାନଙ୍କ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯ୍ୟାତନ (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ଅନୁସାରେ ଏକ ଉନ୍ନତ ସଂସ୍କରଣର ‘ସି-ବକ୍ସ’ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲରେ ଅନ୍ତର୍ନିହିତ କମିଟି (ଆଇସିସି) ଏବଂ ସ୍ଥାନୀୟ କମିଟିର ବିବରଣୀ ତଥା ଏହି ଆଇନ ଅଧୀନରେ ପ୍ରାପ୍ତ ଓ ନିଷ୍ପତ୍ତି ହୋଇଥିବା ଅଭିଯୋଗଗୁଡ଼ିକର ତଥ୍ୟ ପ୍ରଦର୍ଶିତ ହେବ । ଏହି ପୋର୍ଟାଲରେ ବିଭାଗୀୟ ସ୍ତର ଏବଂ କାର୍ଯ୍ୟାଳୟ ସ୍ତରରେ ଅନ୍ତର୍ନିହିତ କମିଟି (ଆଇସିସି)ର ବିବରଣୀ ଅପଲୋଡ଼ କରିବା ବାଧ୍ୟତାମୂଳକ । ଏହି କାର୍ଯ୍ୟ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଏହି ନୋଡାଲ ଅଫିସରମାନଙ୍କର ବିବରଣୀ ସି-ବକ୍ସ ପୋର୍ଟାଲରେ ଅପଲୋଡ଼ କରାଯାଇଛି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ଯାଏଁ ସବୁଠି ମହିଳାମାନେ ନିର୍ଯ୍ୟାତିତ ହେଉଛନ୍ତି । ମହିଳାଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ଅଧିକାର ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ତର୍ନିହିତ କମିଟିର ବିବରଣୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ତଥ୍ୟ ୧ ଅଗଷ୍ଟ ୨୦୨୫ ସୁଦ୍ଧା ଶୀ-ବକ୍ସ ଅପଲୋଡ଼ କରିବେ ।