Utkala Mirror I Odisha News, Latest Odia News

ମଧ୍ୟପ୍ରାଚ୍ୟକୁ ଏୟାର ଇଣ୍ଡିଆର ସମସ୍ତ ଉଡ଼ାଣ ବାତିଲ

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତରୁ ମଧ୍ୟପ୍ରାଚ୍ୟକୁ ଯାଉଥିବା ଓ ଆସୁଥିବା ବିମାନ ସେବା ପ୍ରଭାବିତ ହୋଇଛି । ବଢ଼ୁଥିବା ଉତ୍ତେଜନା ଓ ଏୟାରସ୍ପେସ ବନ୍ଦ ଯୋଗୁଁ ଏପର୍ଯ୍ୟନ୍ତ ୬୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ଦିଲ୍ଲୀ ବିମାନବନ୍ଦରରୁ ୪୮ ଟି ବିମାନ ବାତିଲ କରାଯାଇଛି । ଏଥିମଧ୍ୟରୁ ୨୮ ଟି ବିମାନ ଦିଲ୍ଲୀରେ ପହଞ୍ଚିବାର ଥିବା ବେଳେ  ୨୦ ଟି ଦିଲ୍ଲୀ ବିମାନବନ୍ଦରରୁ ଉଡାଣ ଭରିବାର ଥିଲା ।
ସେହିପରି ଜୟପୁର ବିମାନବନ୍ଦରରୁ ୬ଟି ଉଡ଼ାଣ ବାତିଲ କରାଯାଇଛି।  ଏଥିରେ ମଧ୍ୟପ୍ରାଚ୍ୟକୁ ଯାଉଥିବା ଓ  ଆସୁଥିବା ପ୍ରତ୍ୟେକ ୩ଟି ଉଡ଼ାଣ ଅନ୍ତର୍ଭୁକ୍ତ । ୟୁଏଇ-କଟାର ଆକାଶପଥ ବନ୍ଦ ହେବା ଯୋଗୁଁ ଲକ୍ଷ୍ନୌ ବିମାନବନ୍ଦରରୁ ଆବୁଧାବି ଓ  ସାରଜାହା ଯାଉଥିବା ୨ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଅହମ୍ମଦାବାଦ ବିମାନବନ୍ଦରକୁ ଆସୁଥିବା ୫ଟି ବିମାନ ବାତିଲ କରାଯାଇଛି । ଏଥିରେ ଲଣ୍ଡନ, ଆବୁଧାବି, ଦୁବାଇ, କୁଏତ ଓ ଦୋହାରୁ ଆସୁଥିବା ବିମାନ ଅନ୍ତର୍ଭୁକ୍ତ ।  ଅମୃତସର ବିମାନବନ୍ଦରରୁ ଦୁବାଇ ଯାଉଥିବା ବିମାନ ଏସଜି-୫୫ ମଧ୍ୟ ବାତିଲ କରାଯାଇଛି ।
    ଇରାନ ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ବାତିଲ କରିଛି । ଇରାନ ଦୋହାରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ମିସାଇଲ୍ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର ପୂର୍ବ ତଟ ଓ ୟୁରୋପର କିଛି ଅଞ୍ଚଳକୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହାର ସମସ୍ତ ଉଡ଼ାଣ ବାତିଲ କରିଛି । ଯାତ୍ରୀ ଓ ଏୟାରଲାଇନ୍ସର ସମସ୍ତ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି ।
ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିମାନ କମ୍ପାନୀ ମଧ୍ୟ ସେମାନଙ୍କର ଉଡ଼ାଣକୁ ବାତିଲ, କିମ୍ବା ବିମାନବନ୍ଦରକୁ ଫେରାଇ ଆଣିବା ଭଳି ପଦକ୍ଷେପ ନେଇଛନ୍ତି।  ସେହିପରି ଇଣ୍ଡିଗୋ ମଧ୍ୟ ବିମାନ ଉଡାଣ ସେବା ସ୍ଥଗିତ ରଖିଛି  । ମଧ୍ୟପ୍ରାଚ୍ୟ ସହର ଯେପରିକି ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଓ  ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ କହିଛି ।

Exit mobile version