Utkala Mirror I Odisha News, Latest Odia News

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଜଟିଳ -ଇରାନର ୬ ଏୟାରପୋର୍ଟ ଉପରେ ଇସ୍ରାଏଲର ଆକ୍ରମଣ

ଇରାନ ଉପରେ  ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହେଉଛି ।ଉଭୟ ଇରାନ ଏବଂ ଇସ୍ରାଏଲ ପରସ୍ପର ବିରୋଧରେ ଆକ୍ରମଣକୁ ଶଣୀତ କରିଛନ୍ତି। ପରସ୍ପର ବିରୋଧରେ ମିସାଇଲ ମାଡ଼ ଜାରି ରଖିଛନ୍ତି।ଇରାନ ପକ୍ଷରୁ ଇସ୍ରାଏଲର ଜେରୁଜେଲମ ସହର ଉପରେ ଇରାନ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ବହୁ ଲୋକ ମୃତାହତ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି।ସେହିପରି ତେଲଆଭିଭ ଉପରେ ଇରାନ ବାଲିଷ୍ଟିକ ମିସାଇଲ ମାଡ଼ କରିଛି।
       ଇସ୍ରାଏଲ ମଧ୍ୟ ଇରାନ ଉପରେ ମିସାଇଲ ବର୍ଷା କରିଛି। ଇରାନର ଅଧିକାଂଶ ଏୟାର ଫିଲ୍ଡକୁ ଇସ୍ରାଏଲ ଟାର୍ଗେଟ କରିଛି। ଇରାନର ଅନେକ ଏୟାର ଫିଲ୍ଡ ଏହା ଦ୍ବାରା ଧ୍ବଂସ ହୋଇଯାଇଛି।ଇରାନର ୬ ଏୟାରପୋର୍ଟ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି। ଏଥିରେ ମଶହାଦ, ତେହେରାନ, ହମାଦାନ, ଡେଜଫୁଲ, ଇସ୍ଫହାନ ଓ ତବରିଜ୍ ବିମାନବନ୍ଦର ଅନ୍ତର୍ଭୁକ୍ତ। ଇସ୍ରାଏଲ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ଡ୍ରୋନ୍ ଆକ୍ରମଣ ମାଧ୍ୟମରେ ଇରାନର ୧୫ଟି ସାମରିକ ବିମାନ ଓ ହେଲିକପ୍ଟରକୁ ଧ୍ୱଂସ କରାଯାଇଛି।ଏହି ଆକ୍ରମଣରେ ଏୟାରଷ୍ଟ୍ରିପ୍, ଭୂତଳ ବଙ୍କର, ଏକ ଇନ୍ଧନ ଭର୍ତ୍ତି ବିମାନ ଏବଂ ଇରାନର ଏଫ-୧୪, ଏଫ-୫ ଓ ଏଏଚ-୧ ଭଳି ଯୁଦ୍ଧ ବିମାନ ଧ୍ବଂସ ହୋଇଛି।ଅନ୍ୟପକ୍ଷରେ ଇରାନ ଏକ ଇସ୍ରାଏଲୀ ହର୍ମସ୍ ଡ୍ରୋନକୁ ଖସାଇ ଦେଇଛି।
ରବିବାର ଭୋର ସମୟରେ ଇସ୍ରାଏଲୀ ବାୟୁସେନା ଇରାନର ଶାହରୁଦରେ ଏକ ବାଲିଷ୍ଟିକ୍ ମିସାଇଲ୍ ଇଞ୍ଜିନ୍ ତିଆରି କାରଖାନା ଉପରେ ବୋମା ମାଡ଼ କରିଥିଲା।ଏହି ସ୍ଥାନ ଇସ୍ରାଏଲରୁ ପ୍ରାୟ ୨ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଏହି ଆକ୍ରମଣରେ ଅନେକ ଇଞ୍ଜିନ ନିର୍ମାଣ ମେସିନ୍ ଏବଂ ଜରୁରୀ ଉପକରଣ ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ଇସ୍ରାଏଲ ତେହେରାନ, କେରମାନଶାହ ଓ ହମାଦାନରେ ମଧ୍ୟ ବିମାନ ଆକ୍ରମଣ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଯୁଦ୍ଧ ପରିସମାପ୍ତି ଲାଗି ଆଗ୍ରହୀ ନୁହେଁ ତେବେ ଏହାର ବିଷମ ପରିଣତି ,ହାକୁ ଭୋଗିବାକୁ ପଡ଼ିବ। ସେ କହିଛନ୍ତି ଯେ, ଇରାନବାସୀ ନିଜ ସୁରକ୍ଷା ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଚିତ।ସେ ମଧ୍ୟ ଚୀନକୁ ଇରାନ ଉପରେ କୂଟନୈତିକ ଚାପ ପ୍ରୟୋଗ ଲାଗି ଆହ୍ବାନ କରିଛନ୍ତି । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ମଧ୍ୟପ୍ରାଚ୍ୟରେ ଶୀଘ୍ର ଯୁଦ୍ଧର ପରିସମାପ୍ତି ହେବା ଉଚିତ ବୋଲି କହିଛନ୍ତି। ରଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆମେରିକାର ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ, ଏହା ଦ୍ବାରା ସମସ୍ୟାର ସମାଧାନ ହେବା ଦୂର କଥା ବରଂ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ଏହାର ଲକ୍ଷ୍ୟ ହାସଲର ଖୁବ ନିକଟତର ହୋଇଛି। ନିଜର ସମସ୍ତ ଶତ୍ରୁଙ୍କୁ ନିପାତ କରିବା ଏବଂ ବିଶ୍ବକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ଲାଗି ଏହା ସଙ୍କଳ୍ପ ନେଇଛି।

Exit mobile version