ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ । ଗତବର୍ଷ ତୁଳନାରେ ଏଥର ମୌସୁମୀ ଶୀଘ୍ର ଆସିବ । ୧୩ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁବ । ଦକ୍ଷିଣ ଆଣ୍ଡାମାନ ସାଗର ସହ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜର କିଛି ଅଞ୍ଚଳକୁ ୧୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ସପ୍ତାହରେ ମୌସୁମୀ ବାୟୁ ବଙ୍ଗୋପସାଗର ଛୁଇଁବ । ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ସାଂସ୍ଥାନ (ଆଇଏମଡି) ପୂର୍ବାନୁମାନ କରିଛି।
ଆଇଏମଡି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏବେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଅଗ୍ରଗତି କରୁଛି । ଫଳରେ ଆସନ୍ତା ସପ୍ତାହରେ ମୌସୁମୀ ବାୟୁ ବଙ୍ଗୋପସାଗର ଛୁଇଁବ । ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ସମ୍ଭାବନା ରହିଛି । ଦେଶର ସ୍ଥଳଭାଗରେ ମୌସୁମୀ ଛୁଇଁବା ଏହା ପ୍ରଥମ ପୂର୍ବାନୁମାନ ହୋଇଥିବାବେଳେ ଚଳିତବର୍ଷ ମୌସୁମୀ ଆଣ୍ଡାମାନ ଏବଂ ନିକୋବରରେ ଶୀଘ୍ର ପହଞ୍ଚିବାର ଆଶା କରାଯାଉଛି ।
୨୦୨୩ ଓ ୨୦୨୪ରେ ଏସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ତାରିଖ ଠାରୁ ସାମାନ୍ୟ ବିଳମ୍ବ ଭାବେ ଅଗ୍ରସର ହୋଇଥିଲା । ୨୦୨୩ରେ କେରଳ ଉପକୂଳକୁ ୭ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଥିବାବେଳେ ୨୦୨୩ରେ ବି ସମାନ ସ୍ଥତି ଦେଖÒବାକୁ ମିଳିଥିଲା । ୨୦୨୩ରେ ଗୁଜରାଟ ଉପକୂଳ ଛୁଇଁଥିବା ବିପର୍ଯ୍ୟୟ ବାତ୍ୟା ପ୍ରଭାବରେ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଗରମ ବାୟୁର ପ୍ରବେଶ ଯୋଗୁ ଜୁନ ପ୍ରାରମ୍ଭରେ ମୌସୁମୀ ପ୍ରବେଶ ବିଳମ୍ବ ହୋଇଥିଲା ଏବଂ ପାଖାପାଖି ୩୭% କମ୍ ବର୍ଷା ରେକର୍ଡ କରାଯାଇଥିବାବେଳେ ୨୦୨୪ରେ ୩୩% କମ୍ ବର୍ଷା ରେକର୍ଡ ହୋଇଥିଲା ।
- ସାଧାରଣତଃ ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ବାତ୍ୟା କିମ୍ବା ଅବପାତ ପାଣିପାଗ ପ୍ରକ୍ରିୟା ସୃଷ୍ଟି ନହୁଏ, ତେବେ କେରଳ ତଥା ଓଡ଼ିଶାକୁ ସମୟ ପୂର୍ବରୁ ମୌସୁମୀ ଅଗ୍ରସର ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପକ୍ଷରେ ରାଜ୍ୟରେ ଏବେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ୮ରୁ ପୁଣି ତାପମାତ୍ରା ବଢ଼ିବା ସହ ଖରାର ପ୍ରକୋପ ବଢ଼ିବ । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ମେ ୨୨ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।