Utkala Mirror I Odisha News, Latest Odia News

ବାରମ୍ବାର ପିସିସି ପରିବର୍ତ୍ତନ ଦଳ ନିମ୍ନଗାମୀ ହେବାର କାରଣ : ମହମ୍ମଦ ମୋକିମ୍

କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ରାଜ୍ୟ କଂଗ୍ରେସର ପତନକୁ ନେଇ ପୁଣି ଥରେ ହାଇକମାଣ୍ଡକୁ ସମାଲୋଚନା କରିଛନ୍ତି। ରାଜ୍ୟରେ କଂଗ୍ରେସର ପତନ ପାଇଁ ଦିଲ୍ଲୀର ନେତୃତ୍ବଙ୍କୁ ସିଧାସଳଖ ଦାୟୀ କରି ମୋକିମ କହିଛନ୍ତି ଯେ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତୀତ କହି ଦଳ ନିମ୍ନଗାମୀ ହେବା ଆରମ୍ଭ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଦଳ ସେହି କ୍ଷତିରୁ ଉଠି ପାରିନାହିଁ ବୋଲି କହିଛନ୍ତି । ସେହିଭଳି ନୂଆ ଆଞ୍ଚଳିକ ଦଳ ଗଠନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହେବ ବୋଲି କହି ଶଙ୍କେତ ଦେଇଛନ୍ତି ।  ମୋକିମଙ୍କ ଏହି ମନ୍ତବ୍ୟକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ମୋକିମଙ୍କୁ ‘ଅତୃପ୍ତ ଆତ୍ମା’ କହିଛନ୍ତି।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେବାକୁ ଆସିଥିବା ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ଯେ, ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ଗ୍ରହଣୀୟ ନେତା ଥିଲେ। ତାଙ୍କ ଛଡ଼ା କଂଗ୍ରେସର ଅନ୍ୟ କୌଣସି ନେତା ଏଭଳି ଗ୍ରହଣୀୟତା ହାସଲ କରିପାରିନାହାନ୍ତି। ଗତ ୨୫ ବର୍ଷରେ ଦଳରେ ସେଭଳି ନେତୃତ୍ବ ସୃଷ୍ଟି ହୋଇପାରିନାହିଁ, ଯାହା ଫଳରେ ରାଜ୍ୟରେ କଂଗ୍ରେସ ବହୁତ ପଛକୁ ଚାଲିଯାଇଛି। ଏହା କେନ୍ଦ୍ରୀୟ ନେତୃତ୍ବଙ୍କର ଦୋଷ ବୋଲି ସେ ଅଭିଯୋଗ କରିଛନ୍ତି। ମୋକିମ ଆହୁରି କହିଛନ୍ତି ଯେ, ସଂଗଠନ ଗଢ଼ିଥିବା ଜଣେ ନେତାଙ୍କୁ ଉଠାଇ ଅନ୍ୟ ଜଣଙ୍କୁ ତାଙ୍କ ସ୍ଥାନରେ ବସାଇବା ଗ୍ରହଣୀୟ ନୁହେଁ। ପିସିସି ସଭାପତି ପଦର ବାରମ୍ବାର ପରିବର୍ତ୍ତନ ଯୋଗୁଁ ଦଳର ଭୋଟ୍ ପ୍ରତିଶତ କମିଛି। କମଳନାଥ ଓଡିଶା ଆସି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ‘ଅତୀତ’ କହିଥିଲେ ଏବଂ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଯାଇଥିଲା। ସେହି ଘଟଣା କଂଗ୍ରେସର ଟର୍ଣ୍ଣିଂ ପଏଣ୍ଟ ଥିଲା ଏବଂ ସେଠାରୁ ଦଳର କ୍ଷତି ଆରମ୍ଭ ହୋଇଥିଲା। ଯଦି ସେତେବେଳେ ସୋନିଆ ଗାନ୍ଧୀ ଜାନକୀ ବାବୁଙ୍କ ସହ ପରାମର୍ଶ କରି ତାଙ୍କ ମନୋନୀତ ବ୍ୟକ୍ତିଙ୍କୁ ଦାୟିତ୍ବ ଦେଇଥାନ୍ତେ, ଦଳର ଏଭଳି ଅବସ୍ଥା ହୋଇନଥାନ୍ତା ବୋଲି ମୋକିମ ମତ ଦେଇଛନ୍ତି। ଜାନକୀ ବାବୁଙ୍କ ଆଦର୍ଶରେ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ ଚାଲିବାର ଆନ୍ତରିକତା କୌଣସି ନେତାଙ୍କଠାରେ ଦେଖାଯାଉନି ବୋଲି ସେ କହିଛନ୍ତି।
ନୂଆ ଆଞ୍ଚଳିକ ଦଳ ଗଠନ ପ୍ରସଙ୍ଗରେ ମୋକିମ କହିଛନ୍ତି ଯେ, ରାଜ୍ୟରେ ବିଜେପି ସଠିକ୍ ଶାସନ ଦେଇପାରୁନାହିଁ, ବିଜେଡିରେ ବାକଯୁଦ୍ଧ ତୀବ୍ର ହେଉଛି ଏବଂ କଂଗ୍ରେସ ଭିତରେ କର୍ମୀମାନଙ୍କୁ ଆଶା ଦେଖାଯାଉନାହିଁ। ବିଭିନ୍ନ ଦଳର ଉଦ୍ୟମୀ ନେତା, ଯୁବ ଓ ଛାତ୍ରମାନେ ତାଙ୍କ ସହ ଆଲୋଚନା କରୁଛନ୍ତି। ଖୁବ୍ ଶୀଘ୍ର ଏକ ନୂଆ ସମ୍ଭାବନା ସୃଷ୍ଟି ହେବ ଏବଂ ନିଷ୍ପତ୍ତି ପରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ମୋକିମଙ୍କ ଏହି ବୟାନକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁମାନେ ଗୋଟିଏ ଦଳରେ ଶୃଙ୍ଖଳିତ ହୋଇ ରହିନପାରନ୍ତି, ସେମାନେ ‘ଅତୃପ୍ତ ଆତ୍ମା’ ବୋଲି କହି ଭକ୍ତ ଦାସ କହିଛନ୍ତି ଯେ, ଗୋଟିଏ ଦଳରେ ଶୃଙ୍ଖଳିତ ଭାବେ ରହି ପାରିଲେ ନାହିଁ। ଏବେ ନୂଆ ଦଳ ଗଢ଼ିବେ କହୁଛନ୍ତି, କିଏ ମନା କରୁଛି? ମହାପ୍ରଭୁ ତାଙ୍କୁ ସାହା ହୁଅନ୍ତୁ ବୋଲି ସେ କହିଛନ୍ତି।

Exit mobile version